fbpx

(Video)ସମସ୍ତେ କହୁଥିଲେ ଗୋଡ଼ ଭଲ ହେବନି କିନ୍ତୁ SCBରେ ହେଲା ଗୋଦରା ଗୋଡର ସଫଳ ଅସ୍ତ୍ରୋପଚାର: ରୋଗୀ

ଓଡ଼ିଶା ଭାସ୍କର: ଫାଇଲେରିଆ ସହ ବିଭିନ୍ନ କାରଣରୁ ଗୋଦରା ଗୋଡ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଭଲ ଖବର। କାରଣ କଟକ ଏସ୍.ସି.ବି ମେଡିକାଲରେ ଗୋଦରା ଗୋଡର ଅସ୍ତ୍ରୋପଚାର କରି ସ୍ୱାଭାବିକ କରିବା ପାଇଁ ଆରମ୍ଭ ହୋଇଛି ଭାସ୍କୁଲାରାଇଜ୍ଡ ଲିମ୍ଫନୋଡ ଟ୍ରାନ୍ସପ୍ଲାଣ୍ଟ। ତେବେ ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ଅଭିନବ ଅସ୍ତ୍ରୋପଚାର ଏସ୍.ସି.ବି ମେଡିକାଲରେ ଆରମ୍ଭ କରାଯାଇଛି। ପୂର୍ବରୁ ଯଦିଓ ଅସ୍ତ୍ରୋପଚାର କରି ଗୋଦରା ଗୋଡକୁ ଠିକ୍ କରିବା ପାଇଁ ଚିକିତ୍ସା ହେଉଥିଲା, କିନ୍ତୁ ଗୋଦରା ହେବାର ମୂଳ କାରଣର ନିରାକରଣ ପ୍ରୟାସ ହେଉନଥିଲା ବୋଲି ଏସ୍.ସି.ବି ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ବିଭୂତି ଭୂଷଣ ନାୟକ କହିଛନ୍ତି। ତେବେ ବର୍ତ୍ତମାନ ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମହମ୍ମଦଜାମାପୁର ଗାଁର ରୀତାରାଣୀ ସ୍ୱାଇଁଙ୍କ ଗୋଦରା ଗୋଡର ଭାସ୍କୁଲାରାଇଜ୍ଡ ଲିମ୍ଫନୋଡ ଟ୍ରାନ୍ସପ୍ଲାଣ୍ଟ ଅପରେସନ ଏସ୍.ସି.ବି ରେ ସଫଳତାର ସହ କରାଯାଇଛି। ଅସ୍ତ୍ରୋପଚାରର ୧୫ଦିନ ପରେ ଆକ୍ରାନ୍ତଙ୍କ ଗୋଡ ସ୍ୱାଭାବିକ ହେବା ଆରମ୍ଭ ହୋଇଛି।

ସୂଚନା ଥାଉକି, ଭାରତରେ ଏହି ଅସ୍ତ୍ରୋପଚାର ଦୁଇ ବର୍ଷ ହେବ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟରେ ପ୍ରଥମ ଥର ପାଇଁ ଏସ୍.ସି.ବି ରେ ଆରମ୍ଭ ହୋଇଛି। ଉକ୍ତ ମହିଳା ରୋଗୀ ଜଣକ ଗତ ପ୍ରାୟ ୧୫ବର୍ଷ ହେବ ଏହି ଗୋଦରା ଗୋଡ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେବେ ଅସ୍ତ୍ରୋପଚାର ପରେ ବର୍ତ୍ତମାନ ଧିରେ ଧିରେ ଗୋଡ ସ୍ୱାଭାବିକ ଅବସ୍ଥାକୁ ଫେରୁଥିବା ମହିଳା କହିଛନ୍ତି। ଜୀବନରେ କେବେ ବି ଗୋଦରା ଗୋଡ ସୁଧୁରିବ ବୋଲି ଆଶା ରଖିନଥିଲେ ରୀତାରାଣୀ। ଆଉ ଆଜି ନିଜ ଗୋଡ ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରୁଥିବା ଦେଖି ରୀତାରାଣୀ କହିଛନ୍ତି, ଡାକ୍ତରମାନେ ବାସ୍ତବରେ ଦ୍ୱିତୀୟ ଭଗବାନ।

ଏଠାରେ କହି ରଖୁ, ବିଭାଗୀୟ ଡାକ୍ତର ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ଅସ୍ତ୍ରୋପଚାରରେ ଗୋଡ଼ ସମ୍ପୂର୍ଣ୍ଣ ସ୍ୱାଭାବିକ ନହେଲେ ମଧ୍ୟ ୬୦ରୁ ୮୦ପ୍ରତିଶତ ସ୍ୱାଭାବିକ ହୋଇପାରିବ ।

Get real time updates directly on you device, subscribe now.