ରାତି ସାଢେ ୧୦ ପରେ ନାଚ-ଗୀତ ସବୁ ବନ୍ଦ… ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବଢିଲା ସମୟ

କଟକ: ବାଲିଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି କଟକ ସହର । ଏହି ଜାକ ଜମକର ଆସର ଭିତରେ ଆହୁରି ଖୁସି ଭରି ଦେଇଛି ପ୍ରଶାସନର ଆଉ ଏକ ଘୋଷଣା । ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସମୟକୁ ବୃଦ୍ଧି କରାଯାଇଛି । ଐତିହାସିକ ବାଲିଯାତ୍ରାରେ ଆଉ ଅଧଘଣ୍ଟାଏ ଅଧିକ ନାଚଗୀତ କରିବାକୁ ମିଳିଛି ଅନୁମତି । ଏଣିକି ରାତି ୧୦.୩୦ ପର୍ଯ୍ୟନ୍ତ ସାଂସ୍କୃତିକ ଚାଲିପାରିବ ବୋଲି ପ୍ରଶାସନ ପକ୍ଷରୁ ଗ୍ରୀନ ସିଗନାଲ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି ।

ଗତକାଲି ବାଲିଯାତ୍ରା ପଡ଼ିଆରେ ଓଲିଉଡ ସିଙ୍ଗର ଅସୀମା ପଣ୍ଡାଙ୍କ ସହ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସମୟ କଟକଣା ଯୋଗୁଁ ଗୀତ ଅଧାରୁ ଅସୀମାଙ୍କୁ ମଞ୍ଚ ଉପରୁ ଓହ୍ଲାଇ ଦେଇଥିଲେ ପୋଲିସ । ଏହାକୁ ନେଇ ଆଜି ଜିଲ୍ଲା ପ୍ରଶାସନ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ଏହି ଆଲୋଚନା ପରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆଉ ଅଧ ଘଣ୍ଟାଏ ଅଧିକ ସମୟ ଦେବାକୁ ନିଷ୍ପତ୍ତି ହୋଇଛି । ଏହାସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଧା ନ ଦେବା ପାଇଁ ପରାମର୍ଶ ଦିଆଯାଇଛି । ଗତକାଲି ବୈଷ୍ଣବ ପାଣି ମଞ୍ଚରେ କାର୍ଯ୍ୟକ୍ରମ ବନ୍ଦ କରିଥିଲା ପୋଲିସ । କିନ୍ତୁ ବର୍ତ୍ତମାନର ଆଦେଶ ପରେ ପୋଲିସ ୧୦.୩୦ ପୂର୍ବରୁ କାର୍ଯ୍ୟକ୍ରମ ବନ୍ଦ କରିପାରିବ ନାହିଁ । ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରାତି ୧୦ଟା ପର୍ଯ୍ୟନ୍ତ ଅନୁମତି ମିଳିଥିଲା ।