ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏ ଦୁନିଆର କିଛି ସ୍ଥାନରେ ଏପରିକି କିଛି ଅଜବ ପରମ୍ପରା ଓ ବିଶ୍ୱାସ ରହିଛି ତାହାକୁ ଖାଲି ଆଖିରେ ନଦେଖିଲେ ସହଜରେ ବିଶ୍ୱାସ କରିହୁଏ ନାହିଁ । ନିକଟରେ ଓଡ଼ିଶାରେ ଲ୍ୟାଣ୍ଡଫଲ ହୋଇଥିବା ବାତ୍ୟା ‘ଦାନା’ ସମୟରେ ରାଜ୍ୟରେ ଶହ ଶହ ଶିଶୁ ଜନ୍ମ ନେଇଥିଲେ । ବାତ୍ୟା ସମୟରେ ରାଜ୍ୟରେ ୧୬ ଶହ ନବଜାତ ଜନ୍ମ ନେଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଏ ବିଶ୍ୱରେ ଏପରି ଏକ ସ୍ଥାନ ରହିଛି ଯେଉଁଠି ଦୀର୍ଘ ଦୁଇ ଦଶନ୍ଧି ପରେ ପ୍ରଥମ ଥର କୁଆଁ କୁଆଁ ଶବ୍ଦ ଶୁଣିବାକୁ ମିଳିଛି । ଏହି ଦୁଇ ଘଟଣାକୁ ତୁଳନା କଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗେ ।
ପ୍ରକୃତ କଥା ହେଉଛି, ଜାପାନର ଏକ ଗାଁରେ ଦୀର୍ଘ ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ଏକ ଶିଶୁ ଜନ୍ମ ନେଇଥିଲା । ଉକ୍ତ ଗାଁର ନାମ ହେଉଛି ‘ଇଚିନୋନା । ସେହି ଗାଁରେ ୬୫ ବର୍ଷରୁ ଅଧିକ ବୟସର ଲୋକମାନେ ବାସ କରିଥାନ୍ତି । ଦୀର୍ଘ ଦୁଇ ଦଶନ୍ଧି ପରେ ଇଚିନୋନା ଗ୍ରାମରେ ଏକ ଶିଶୁ ଜନ୍ମ ନେବା ଘଟଣାକୁ ନେଇ ସାରା ଗ୍ରାମରେ ଖୁସିର ଲହରୀ ଖେଳାଇ ଦେଇଥିଲା । ସେହିପ ଅବସରରେ ବିବାହ, ଜନ୍ମଦିନ, ପର୍ବପର୍ବାଣି ପରି ଉତ୍ସବ ମଧ୍ୟ ପାଳନ କରାଯାଇଥିଲା । ଦିନକୁ ଦିନ ଜନଂସଖ୍ୟା ହ୍ରାସ ଏବେ ଜାପାନ ପାଇଁ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ୧୬ ବର୍ଷ ପୂର୍ବେ ୨୦୦୮ରେ ଜାପାନର ଜନସଂଖ୍ୟା ହ୍ରାସ ପାଇଥିଲା । ସେ ସମୟରେ ଦେଶର ଜନଂସଖ୍ୟା ପାଖାପାଖି ୧୩ କୋଟି (୧୨.୮) ରହିଥିଲା । ତେବେ ଚିନ୍ତାର କଥା ଏହା ଯେ, ଏହା ମଧ୍ୟରେ ୧୪ ବର୍ଷ ବିତିଯାଇଥିଲେ ହେଁ ଦେଶର ଜନସଂଖ୍ୟା ବଢ଼ିବ କ’ଣ, ଓଲଟା ହ୍ରାସ ପାଇ ୧୨.୫ କୋଟିରେ ପହଞ୍ଚିଛି । ତେବେ ଯଦି ଏହି ସ୍ଥିତି ଜାରି ରୁହେ, ତେବେ ୨୧୦୦ ମସିହା ବେଳକୁ ଜାପାନର ଜନସଂଖ୍ୟା ୬.୩ କୋଟିରେ ପହଞ୍ଚିଯିବ । ଜନ୍ମହାର ହ୍ରାସ ଓ ବୟସ୍କଙ୍କ ଜନସଂଖ୍ୟା ବୃଦ୍ଧି ହେଉଛି ଏହି ସମସ୍ୟାର ଦୁଇଟି ବଡ଼ କାରଣ ।