ଭୁବନେଶ୍ୱର ବିମାନବନ୍ଦର ପରେ ଏବେ ୧୦ଟି ବଡ଼ ହୋଟେଲକୁ ବୋମା ଧମକ: ୪୬ ଲକ୍ଷ ନଦେଲେ ଉଡ଼ାଦେବାକୁ ଆସିଲା ଇ-ମେଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୪ ତାରିଖରେ ବାତ୍ୟା ‘ଦାନା’କୁ ନେଇ ସାରା ରାଜ୍ୟବାସୀ ବିବ୍ରତ ଅବସ୍ଥାରେ ରହିଥିବା ବେଳେ ସେହି ସମୟରେ ଆସିଥିଲା ଏକ ବଡ଼ ଧମକ । ଭୁବନେଶ୍ୱର ବିମାନବନ୍ଦର ଓ ଝାରସୁଗୁଡ଼ା ବିମାନବନ୍ଦରକୁ ବୋମାରେ ଉଡ଼ାଇ ଦେବାକୁ ନେଇ କିଛି ଅଜଣା ସୂତ୍ରରୁ ଧମକ ଆସିଥିଲା । ତେବେ ଉକ୍ତ ଘଟଣାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଏହା ପରେ ବିମାନବନ୍ଦର ପରିସରରେ ବୋମା ନିଷ୍କ୍ରିୟକାରୀ ଟିମ୍ ଯାଞ୍ଚ କରିଥିଲେ । ମାତ୍ର ଘଟଣାସ୍ଥଳରୁ କୌଣସି ବୋମାର ସନ୍ଧାନ ମିଳିନଥିଲା ।

ତେବେ ଓଡ଼ିଶା ବ୍ୟତୀତ ବିଭିନ୍ନ ରାଜ୍ୟର ବିମାନବନ୍ଦରଗୁଡ଼ିକୁ ଟାର୍ଗେଟ୍ କରାଯାଇଥିଲା । ବିଭିନ୍ନ ବିମାନବନ୍ଦରରେ ବୋମା ଆତଙ୍କ ସୃଷ୍ଟି ହୋଇଥିଲା । ଏକକାଳୀନ ୮୫ଟି ବିମାନବନ୍ଦରକୁ ବୋମାରେ ଉଡ଼ାଇଦେବା ପାଇଁ ଧମକ ମିଳିଥିବା ଏକ ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଥିଲା । ୨୦ଟି ଏୟାର ଇଣ୍ଡିଆ, ୨୦ଟି ଇଣ୍ଡିଗୋ, ୨୦ଟି ଭିସ୍ତାରା, ୨୫ଟି ଆକାଶ ବିମାନ ସେଥିରେ ସାମିଲ ଥିବା ଜଣାପଡ଼ିଥିଲା । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରରେ ଏହି ଧମକ ଆସିଥିଲା ।
ତେବେ ବିମାନବନ୍ଦର ପରେ ଏବେ ହୋଟେଲକୁ ଧମକ ମିଳିଛି । ଗୁଜରାଟର ସୂରତର ଏକ ହୋଟେଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ସହ ୫୫ ହଜାର ଡଲାର (ପାଖାପାଖି ୪୬ ଲକ୍ଷ) ଟଙ୍କା ନଦେଲେ ହୋଟେଲକୁ ଉଡ଼ାଇଦେବେ ବୋଲି ଧମକ ମିଳିଛି । ସହରର ମୋଟ ୧୦ଟି ବଡ଼ ହୋଟେଲକୁ ଏହି ଧମକପୂର୍ଣ୍ଣ ଇ-ମେଲ ଆସିଥିବା ନେଇ ପୋଲିସକୁ ସୂଚନା ଦିଆଯାଇଛି । ସେହି ହୋଟେଲ ମଧ୍ୟରେ ହୋଟେଲ ମେରିୟଟ, ସରାକା ହୋଟେଲ, ହୋଟେଲ ଫର୍ଚ୍ୟୁନ, ହୋଟେଲ ଲେମନ ଟ୍ରି ଓ ହୋଟେଲ କାସା ଆଦି ରହିଛି ।