ବାପା ତୁମେ ମୋତେ ଛାଡ଼ି ଯାଇପାରିବ ନାହିଁ…. ବାପାଙ୍କ ମୃତ୍ୟୁ ଖବର ଶୁଣି କୂଅକୁ ଡେଇଁଲା ଝିଅ

ଅଗ୍ନିଶମ ବାହିନୀ ବଞ୍ଜାଇଦେଲା ଝିଅର ପ୍ରାଣ । ବାପାଙ୍କ ଶେଷ ଦର୍ଶନ କରିପାରିଲାନି ଝିଅ ।

କଟକ: ବାପାଙ୍କ ମୃତ୍ୟୁ ଖବର ପାଇ ଝିଅ କରିଛି ଆତ୍ମହତ୍ୟା ଉଦ୍ୟମ । ଏଭଳି ଅଭାବନୀୟ ଘଟଣା ଘଟିଛି ବାରଙ୍ଗ ଥାନା ଅନ୍ତର୍ଗତ ବାଢ଼ାପାଟଣା ଗ୍ରାମରେ ।

୧୯ ବର୍ଷୀୟା ଝିଅ ଘରେ ଥିବା କୂଅକୁ ଡେଇଁ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା କୁହାଯାଉଛି । ଘର ଲୋକେ ସଙ୍ଗେ ସଙ୍ଗେ ଫାୟାର ଡିପାର୍ଟମଣ୍ଟେକୁ ସୂଚନା ଦେଇଦେଲେ । ମାତ୍ର କିଛି ସମୟ ଭିତରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲେ ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଯାଇ ଝିଅକୁ ଉଦ୍ଧାର କରିଥିଲେ । ତୁରନ୍ତ ଅଚେତ ଅବସ୍ଥାରେ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଝିଅର ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି ।

କିଛି ସମୟ ପରେ ସେ ହସ୍ପିଟାଲରୁ ଘରକୁ ଫେରିଥିଲେ । ହେଲେ ସେ ଫେରିଲାବେଳକୁ ତାଙ୍କ ବାପାଙ୍କ ଅନ୍ତି ସଂସ୍କାର ହୋଇସାରିଥିଲା । ମୃତ ସୁକାନ୍ତ ସାହୁ ଘରର ଏକମାତ୍ର ରୋଜଗାରିଆ ମଣିଷ ।

ଅସୁସ୍ଥତା କାରଣରୁ ସୁକାନ୍ତଙ୍କୁ କିଛିଦିନ ପୂର୍ବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଗତକାଲି ତାଙ୍କ ମୃତ୍ୟୁ ଖବର ଆସିଥିଲା । ଯାହାକୁ ଝିଅ ସହି ନ ପାରି ଆତ୍ମହତ୍ୟା କରିବାକୁ କୂଅକୁ ଡେଇଁପଡ଼ିଥିଲା ।