fbpx

ଜୟ ଶାହ ICC ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଭାରତକୁ ମିଳିବ ଅନେକ ଫାଇଦା: ବିସ୍ତୃତ ବିବରଣୀ ଦେଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଆରମ୍ଭ ହେବାକୁ ଯାଉଛି ବିଶ୍ୱ କ୍ରିକେଟରେ ଭାରତର ଦବଦବା । ପୂର୍ବରୁ ବିଶ୍ୱ କ୍ରିକେଟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇର) ପ୍ରଭାବ ରହିଥିବା ବେଳେ ଜୟ ଶାହ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ନୂଆ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଏବେ ଟିମ୍ ଇଣ୍ଡିଆ ଅଧିକ ଶକ୍ତିଶାଳୀ ହୋଇ ଉଠିବ । ନଭେମ୍ବର ୩୦ରେ ଆଇସିସିର ବର୍ତ୍ତମାନର ଅଧୟକ୍ଷ ଗ୍ରେଗ ବାର୍କେଲେଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ସର୍ବକନିଷ୍ଠ ଅଧ୍ୟକ୍ଷ ଭାବେ ଜୟ ମାତ୍ର ୩୬ ବର୍ଷ ବୟସରେ ଏହି ଦାୟିତ୍ୱ ଗ୍ରହଣ କରିବ । ଆଇସିସି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇ ନଥିବା ବେଳେ ଜୟ ନିଦ୍ୱର୍ନ୍ଦ୍ୱରେ ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି ।

ତେବେ ବିଶ୍ୱ କ୍ରିକେଟକୁ ନିୟନ୍ତ୍ରଣ କରୁଥିବା ଆଇସିସିର ମୁଖ୍ୟ ପଦରେ ଜଣେ ଭାରତୀୟ ବସିବା ନିଶ୍ଚିତ ଭାବେ ୧୪୦ କୋଟି କ୍ରୀଡ଼ାପ୍ରେମୀଙ୍କ ପାଇଁ ଗୌରବର କଥା । ଜୟ ଏହି ପଦରେ ବସିବା ପରେ ଭାରତୀୟ କ୍ରିକେଟ ଜଗତ ଅନେକ ଫାଇଦା ପାଇବ । ଉଭୟ ପୁରୁଷ ଓ ମହିଳା କ୍ରିକେଟ ଟିମ୍ ଏହାଦ୍ୱାରା ବେଶ୍ ଲାଭବାନ ହୋଇପାରିବ ବୋଲି ଆଶା କରାଯାଉଛି । ଜୟ ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ସ୍ପୋର୍ଟ୍ସଷ୍ଟାରର ଏକ ସ୍ତମ୍ଭରେ ଲେଖିଥିଲେ, ଜୟ ଯେଉଁଭଳି ଭାବେ ଭାରତୀୟ କ୍ରିକେଟ ପାଇଁ କାର୍ଯ୍ୟ କରିଛନ୍ତି ତା’ଦ୍ୱାରା ଉଭୟ ପୁରୁଷ ଓ ମହିଳା ଟିମ୍ ଲାଭବାନ ହେବେ ।

ଉଭୟ ପୁରୁଷ ଓ ମହିଳା ଟିମ୍ ଆଜି ଯେଉଁ ସ୍ଥାନରେ ପହଞ୍ଚିଛନ୍ତି, ତା’ ପଛରେ ବିସିସିଆଇର ବଡ଼ ଅବଦାନ ରହିଛି । ଯଦି କୌଣସି ଟିମ୍ ବିଜୟୀ ହେବନାହିଁ, ତେବେ ପ୍ରାୟୋଜକମାନେ ଦୂରେଇ ଯିବେ । ତେଣୁ ଖେଳାଳି ଓ ପ୍ରଶାସକଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ଏକ ବଡ଼ କାମ । ବିସିସିଆଇ ସମ୍ପାଦକ ରହିବା ସମୟରେ ଗତ କିଛିବର୍ଷ ଧରି ଜୟ ଅନେକ କିଛି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହାଦ୍ୱାରା ସିଧାସଳଖ ଭାବେ ଭାରତୀୟ କ୍ରିକେଟର ପାଇଦା ହୋଇଛି । ଅର୍ଥ ମାମଲାରେ ପୂର୍ବରୁ ବିସିସିଆଇ ଆଗରେ ରହିଥିବା ବେଳେ ଏବେ ଦ୍ୱିତୀୟ ବୃହତ ସ୍ପୋର୍ଟ୍ସ ଲିଗର ମାଲିକ ଅଟେ । ଖେଳାଳିଙ୍କୁ ବିସିସିଆଇଠାରୁ ପର୍ଯ୍ୟାପ୍ତ ଅର୍ଥ ମିଳୁଛି । ଏବେ ଘରୋଇ କ୍ରିକେଟରେ ‘ପ୍ଲେୟାର ଅଫ୍ ଦି ମ୍ୟାଚ’ ଓ ‘ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ‘ ପାଇଁ ପୁରଷ୍କାର ରାଶି ଘୋଷଣା କରାଯାଇଛି ।

ବିସିସିଆଇ ସମ୍ପାଦକ ଭାବେ ଜୟ ଭାରତୀୟ କ୍ରିକେଟ ପାଇଁ ଅନେକ ଉଚ୍ଚକୋଟୀର କାର୍ଯ୍ୟ କରିଥିବା ବେଳେ ଆଇସିସିର ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ସେ ତାହାକୁ ନିଶ୍ଚିତ ଭାବେ କାଏମ୍ ରଖିବେ । ଜୟ ଏହି ପଦରେ ରହିବା ଫଳରେ ଭାରତୀୟ କ୍ରୀଡ଼ା କ୍ଷେତ୍ର ପରୋକ୍ଷ ଭାବେ ଲାଭବାନ ହେବ । ଏଥିସହିତ ଆଗାମୀ ଦିନରେ ବିଶ୍ୱ କ୍ରିକେଟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ । କ୍ରିକେଟକୁ କିପରି ଅଧିକ ଲୋକପ୍ରିୟ କରିହେବ, ଖେଳାଳିମାନେ କିପରି ଅଧିକ ଅର୍ଥରାଶି ପାଇବେ, ବିଭିନ୍ନ ଦେଶ କିପରି କ୍ରିକେଟରେ ଅଂଶଗ୍ରହଣ କରିବେ, କ୍ରୀଡ଼ା ମାଧ୍ୟମରେ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ହେବା ସହିତ ସମଗ୍ର ବିଶ୍ୱକୁ ଗୋଟିଏ ପ୍ରେମ ସୂତ୍ରରେ ବାନ୍ଧି ରଖିବା ଦିଗରେ ଜୟ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.