ନୂଆଦିଲ୍ଲୀ: ରାଜସ୍ଥାନ ଏବଂ ପଞ୍ଜାବ ଭଳି ରାଜ୍ୟ ପରେ ଏବେ କର୍ଣ୍ଣାଟକ କଂଗ୍ରେସରେ ଦେଖିବାକୁ ମିଳିଛି ଅର୍ନ୍ତକଳହ । ଏଠାରେ ଦଳ ବିରୋଧୀ ଭୂମିକାରେ ଥିବାବେଳେ ନିର୍ବାଚନକୁ ଆହୁରି ଦୁଇ ବର୍ଷ ବାକି ଅଛି, କିନ୍ତୁ ଏଠାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଲେଢଇ ଆରମ୍ଭ ହୋଇସାରିଛି । କେତେକ ବିଧାୟକ ଶିବକୁମାରଙ୍କ ସପକ୍ଷରେ ଯାଉଥିବାବେଳେ କେତେକ ପୂର୍ବତନ ସିଦ୍ଧରମୟାଙ୍କୁ ସେମାନଙ୍କର ନେତା ବୋଲି ଭାବୁଛନ୍ତି । ଆଉ ଏହାକୁ ନେଇ ଦଳ ଭିତରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଆରମ୍ଭ ହୋଇଛି ବୟାନବାଜି ।
ନିକଟରେ କର୍ଣ୍ଣାଟକର ଚମାରାଜପେଟ ବିଧାୟକ ଜାମିର ଅହମ୍ମଦ ଖାନ ସିଦ୍ଧରମୟାଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ସଠିକ୍ ପ୍ରାର୍ଥୀ ବୋଲି କହିଥିଲେ । ଏହା ଉପରେ ଡି.କେ ଶିବକୁମାର ବିଧାୟକ ଏବଂ ଦଳର ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ କାହାକୁ ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ନ’ବାଛିବାକୁ। ଶିବକୁମାର କହିଛନ୍ତି ଯେ ଦଳ କେବଳ ସାମୂହିକ ନେତୃତ୍ୱରେ ନିର୍ବାଚନ କ୍ଷେତ୍ରକୁ ପ୍ରବେଶ କରିବ। ସମସ୍ତ ନେତାଙ୍କୁ ଦଳର ଅନୁଶାସନ ଅନୁସରଣ କରିବାକୁ ପଡିବ।
ନିଜ ବିଧାନସଭା ନିର୍ବାଚନମଣ୍ଡଳୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜାମିର ଅହମ୍ମଦ କହିଥିଲେ ଯେ ସେ ସିଦ୍ଧରମୟା ହେଉଛନ୍ତି ଭବିଷ୍ୟତର ମୁଖ୍ୟମନ୍ତ୍ରୀ । ଏଥିରୁ ସେ ସିଧାସଳଖ ସୂଚାଇ ଦେଇଛନ୍ତି ଯେ ସିଦ୍ଧରମୟା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଏବଂ ଭବିଷ୍ୟତର ମୁଖ୍ୟମନ୍ତ୍ରୀ ହେବେ। କେବଳ ଏତିକି ନୁହେଁ ସିଦ୍ଧରମୟାଙ୍କ ବିଶ୍ୱସ୍ତ କୁହାଯାଉଥିବା ଜାମିର ଅହମ୍ମଦ କହିଛନ୍ତି ଯେ ସିଦ୍ଧରମୟାଙ୍କ ପାଇଁ ତାଙ୍କ ଆସନ ଛାଡିବାକୁ ପ୍ରସ୍ତୁତ ଯାହାଦ୍ୱାରା ସିଦ୍ଧରମୟାଙ୍କ ବିଜୟ ନିଶ୍ଚିତ ହେବ। ଜାମିର କହିଥିଲେ ଯେ ସିଦ୍ଧରମୟା 70,000 ଭୋଟ୍ ବ୍ୟବଧାନରେ ଜିତନ୍ତୁ । ତେବେ ଏହି ବୟାନକୁ ନେଇ ଶିବକୁମାରଙ୍କ ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ନିର୍ବାଚନର ଦୁଇ ବର୍ଷ ପୂର୍ବରୁ ମଧ୍ୟ ଶିବକୁମାର ପସନ୍ଦ କରିନାହାଁନ୍ତି।
ଗୋଟିଏ ପଟେ ରାଜସ୍ଥାନର ଅଶୋକ ଗେହଲଟ୍ ଏବଂ ସଚିନ୍ ପାଇଲଟ୍ଙ୍କ ମଧ୍ୟରେ ହୋଇଥବା କଳହକୁ କଂଗ୍ରେସ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଛି। ଅନ୍ୟପକ୍ଷରେ ପଞ୍ଜାବରେ କ୍ୟାପଟେନ ଅମରିନ୍ଦର ସିଂ ଏବଂ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ କର୍ଣ୍ଣାଟକରେ ଅର୍ନ୍ତକନ୍ଦଳ ଦେଖାଦେବା କଂଗ୍ରେସ ପାଇଁ ଗଭୀର ଚିନ୍ତାର ବିଷୟ ହୋଇଛି।