fbpx

Article 370 ହଟିବା ପରେ ଜଣେ ବି କଶ୍ମୀର ପଣ୍ଡିତ ଘାଟି ଛାଡ଼ି ନାହାନ୍ତି: ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଆଜି ଥିଲା ତୃତୀୟ ଦିବସ । ତେବେ ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସଂସଦରେ ଲିଖିତ ବିବୃତି ଦେଇଥିଲେ । ଜମ୍ମୁ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି । ଗତ ୨୦୧୮ରେ ଏହି ସମ୍ବନ୍ଧୀୟ ୪୧୭ଟି ଘଟଣା ଘଟିଥିବା ବେଳେ ୨୦୨୧ରେ ଏହା ୨୨୯କୁ ହ୍ରାସ ପାଇଛି । ଜମ୍ମୁ କଶ୍ମୀରର ସଂଖ୍ୟା ଲଘୁ ସଂପ୍ରଦାୟର ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୦୧୯ ପରେ ଘାଟିରୁ ଜଣେ ହେଲେ ବି କଶ୍ମୀର ପଣ୍ଡିତ ପଳାୟନ କରିନଥିବା ଶ୍ରୀ ରାୟ କହିଛନ୍ତି ।

ରାଜ୍ୟସଭାରେ ବିପକ୍ଷ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରାୟ କହିଥିଲେ, ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଓ ସୁରକ୍ଷାରେ ବହୁତ ସୁଧାର ଆସିଛି । ୨୦୨୧ରେ ୨୨୯ଟି ଆତଙ୍କବାଦୀ ଘଟଣା ଘଟିଥିଲା । ୨୦୨୦ରେ ୨୪୪ଟି, ୨୦୧୯ରେ ୨୫୫ଟି, ୨୦୧୮ରେ ୪୧୭ଟି ମାମଲା ଦାୟର ହୋଇଥିଲା ।

ସେହିପରି ଆତଙ୍କବାଦୀଙ୍କ କାର୍ଯ୍ୟକାଳପରେ ୨୦୨୧ରେ ୪୨ ଜଣ ଯବାନ ପ୍ରାଣ ହରାଇଥିଲେ । ୨୦୨୦ରେ ଏହି ସଂଖ୍ୟା ୬୨, ୨୦୧୯ରେ ୮୦ ଓ ୨୦୧୮ରେ ୯୧ ରହିଥିଲା । ଜମ୍ମୁ କଶ୍ମୀରର ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ମଜବୁତ ସୁରକ୍ଷା, ଖୁଫିଆ ଗ୍ରେଡ, ରାତିରେ ଅଞ୍ଚଳ ଗସ୍ତ, ୨୪ ଘଣ୍ଟିଆ ଚେକିଂ ଆଦି ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଜୁନ ୩୦ ମଧ୍ୟରେ ଜମ୍ମୁ କଶ୍ମୀରରେ ୭ ଜଣ ନାଗରିକଙ୍କ ଉପରେ ହମଲା କରାଯାଇଛି । ୨୦୨୧ରେ ଏହି ସଂଖ୍ୟା ୧୨, ୨୦୧୯-୨୦ରେ ୨୮, ୨୦୧୮ରେ ୩୩ ରହିଥିଲା ।

Get real time updates directly on you device, subscribe now.