ଢ଼ାକା: ପୁଣିଥରେ ବାଂଲାଦେଶର ସବୁଠାରୁ ବଡ଼ ରାଜନୈତିକ ଦଳ ଆବାମି ଲିଗର ନେତା ଶେଖ୍ ହସିନାଙ୍କୁ ନେଇ ବଢ଼ିଛି ଚର୍ଚ୍ଚା । ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଚିଠି ଲେଖି ଶୁଭେଚ୍ଛା ଜଣାଇଛନ୍ତି ସେ । ଯେଉଁଥିରେ ହାସିନା ନିଜର ପରିଚୟ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ଦେଇଛନ୍ତି । ଯାହାକୁ ନେଇ ଏବେ ଦେଶରେ ରାଜନୈତିକ ଚର୍ଚ୍ଚା ଜୋର ଧରିବା ଆରମ୍ଭ କଲାଣି । ଟ୍ରମ୍ପଙ୍କୁ ହାସିନା ଦେଇଥିବା ଶୁଭେଚ୍ଛା ପତ୍ରର ଫଟୋ ଆବାମି ଲିଗର କାର୍ଯ୍ୟାଳୟ ସଚିବ ସୋସିଆଲ ମିଡିଆ ହାଣ୍ଡେଲରେ ଶେୟାର କରିିଛନ୍ତି । ଯେଉଁଥିରେ ହାସିନା ବିଗତ ଦିନରେ ଟ୍ରମ୍ପଙ୍କ ସହ ଭେଟକୁ ମନେପକାଇବା ସହ ଭବିଷ୍ୟତରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷୀକ ସମ୍ପର୍କ ମଜଭୁତ କରିବା ନେଇ ପରାମର୍ଶ ଦେଇଛନ୍ତି ।
ଅଗଷ୍ଟ ୫ ତାରିଖ ସନ୍ଧ୍ୟାରେ ପ୍ରାଣବିକଳରେ ହାସିନା ସେନା ହେଲିକପ୍ଟରରେ ଭାରତୀୟ ବାୟୁସେନା ଏୟାରବେସରେ ପହଞ୍ଚିଥିଲେ । ବାଂଲାଦେଶରେ ସ୍ଥିତି ବିଗିଡ଼ିବା କାରଣରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ହାସିନା ପଡ଼ୋଶୀ ଦେଶରେ କିଛିଦିନ ଆଶ୍ରହ ନେଇଥିଲେ । ଯାହାକୁ ପରବର୍ତ୍ତୀ ମୁହୂର୍ତ୍ତରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କ ଗଣମାଧ୍ୟମକୁ ଜଣାଇଥିଲେ । ହାସିନାଙ୍କ ଶୁଭେଚ୍ଛା ପତ୍ରକୁ ନେଇ ରାଜନୈତିକ ଆଲୋଚନା ଜାରି ଥିବାବେଳେ ଭାରତ ମଧ୍ୟ ଏ ସମ୍ପର୍କରେ ନିଜ ପ୍ରତିକ୍ରିୟା ଦେଇଛି । ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ରଣଧିର ଜାୟସବାଲ କହିଛନ୍ତି, ଆମେ ହାସିନାଙ୍କୁ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଭାବେ ଜାଣିଛୁ ।
ଚାକିରି ସଂରକ୍ଷଣକୁ ନେଇ ବାଂଲାଦେଶ ସରକାର ବିରୋଧରେ ଯେଉଁ ଜନ ଆନେ୍ଦାଳନ ଦେଖାଦେଇଥିଲା ତା’ ପାଇଁ ହାସିନା ଜୋ ବାଇଡେନ୍ ପ୍ରଶାସନକୁ ଦାୟି କରିଥିଲେ । ହାସିନାଙ୍କ ଇସ୍ତଫା ପରେ ଦେଶର ଶାସନ ସେନା ହାତକୁ ଚାଳିଯାଇଥିଲା । ଏ ଘଟଣା ପରେ ବାଂଲାଦେଶରେ ନିର୍ବାଚନ ମଧ୍ୟ ହୋଇନାହିଁ । ଭାରତରୁ ଫେରି ହାସିନା କେଉଁଠାରେ ଆଶ୍ରୟ ନେଇଛନ୍ତି କିମ୍ବା ପୁଣିଥରେ ବାଂଲାଦେଶ ଫେରିଛନ୍ତି ତା’ ସମ୍ପର୍କରେ କାହାରି ପାଖରେ କୌଣସି ସୂଚନା ନାହିଁ । ଅର୍ଥାତ୍ ଏବେବି ହାସିନାଙ୍କ ଠିକଣା ଅଜଣା ଆଉ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ପଦ ଖାଲି ।