fbpx

ରୋହିତ ଏବଂ କାର୍ତ୍ତିକଙ୍କ ପରେ ବୋଲର ଦେଖାଇଲେ ଦମ୍, ୱେଷ୍ଟଇଣ୍ଡିଜକୁ ୬୮ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ: ଅଧିନାୟକ ରୋହିତ ଶର୍ମା (୬୪) ଏବଂ ଦୀନେଶ କାର୍ତ୍ତିକଙ୍କ ଦାର୍ଶକୀୟ ୪୧ ଇନିଂସ ପରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଭାରତ ଶୁକ୍ରବାର ଦିନ ତ୍ରିନିଦାଦର ବ୍ରାଏନ୍ ଲାରା ଷ୍ଟାଡିୟମରେ ଆୟୋଜିତ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜକୁ ୬୮ ରନ୍ ରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ୍ ହରାଇ ୧୯୦ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ୱେଷ୍ଟଇଣ୍ଡିଜ୍ ଦଳ ଧାର୍ଯ୍ୟ ୨୦ ଓଭରରେ ୮ ୱିକେଟ୍ ହରାଇ ୧୨୨ ରନ୍ ସ୍କୋର କରିପାରିଥିଲା।

ୱେଷ୍ଟଇଣ୍ଡିଜ୍ ର କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ଆୟୋଜକ ୱେଷ୍ଟଇଣ୍ଡିଜ୍ ପାଇଁ ଶାମର ବ୍ରୁକ୍ସ ୨୦, କାଇଲ ମେରେସ ୧୫, କ୍ୟାପଟେନ ନିକୋଲାସ ପୁରାନ ୧୮, ରୋଭମାନ ପାୱେଲ ୧୪ ଏବଂ ଶିମ୍ରନ ହେଟମିୟର ୧୪ ସ୍କୋର କରିଥିଲେ। ଭାରତ ପାଇଁ ଅର୍ଶଦୀପ ସିଂ, ଆର ଅଶ୍ୱିନ ଏବଂ ରବି ବିଷ୍ଣୋଇ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର ଏବଂ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

ଏହାପୂର୍ବରୁ ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ୧୯୦ ରନ୍ କରିଥିଲା। ଭାରତ ପାଇଁ ଅଧିନାୟକ ରୋହିତ ଶର୍ମା (୬୪) ମଧ୍ୟ ଅର୍ଦ୍ଧଶତକ ସହ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ରୋହିତ ପୁଣିଥରେ ଟି-୨୦ କ୍ରିକେଟରେ ସର୍ବାଧିକ ରନ୍ ସ୍କୋରର୍ ହୋଇଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗୁପଟିଲଙ୍କୁ ପଛରେ ପକାଇ ଦେଇଛନ୍ତି। ଏଥିସହିତ ଦୀନେଶ କାର୍ତ୍ତିକ ୧୯ ଟି ବଲରୁ ୪୧ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ।

ରୋହିତ ଏବଂ କାର୍ତ୍ତିକଙ୍କ ବ୍ୟତୀତ ସୂର୍ଯ୍ୟକୁମାର ଯାଦବ (୨୪), ଶ୍ରେୟାସ ଆୟର (୦),ଋଷଭ ପନ୍ତ (୧୪), ହାର୍ଦ୍ଦିକ ପାଣ୍ଡ୍ୟା (୧), ରବିନ୍ଦ୍ର ଜାଡେଜା (୧୬) ଆର ଅଶ୍ୱିନ ମଧ୍ୟ ଅପରାଜିତ ୧୩ ସ୍କୋର କରିଥିଲେ। ୱେଷ୍ଟଇଣ୍ଡିଜ ପାଇଁ ଅଲଜାରି ଜୋସେଫ ଦୁଇଟି ୱିକେଟ୍ ନେଇଥିଲେ।

Get real time updates directly on you device, subscribe now.