fbpx

କେଜ୍ରିୱାଲଙ୍କୁ ଶକ୍ତ ଧକ୍କା: ପ୍ରଶାସନିକ ସେବା ଉପରେ କେବଳ ଉପରାଜ୍ୟପାଳଙ୍କ ନିୟନ୍ତ୍ରଣ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଅଧ୍ୟାଦେଶ ଆଣିଲା କେନ୍ଦ୍ର

ନୂଆଦିଲ୍ଲୀ: ଦିଲ୍ଲୀରେ କେଜ୍ରିୱାଲ ସରକାର ଏବଂ ଉପ-ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ କେନ୍ଦ୍ର ସରକାର ଏକ ନୂଆ ନିୟମ ପ୍ରଣୟନ କରିଛନ୍ତି । ଏହି ନିୟମ ସହାୟତାରେ ବର୍ତ୍ତମାନ ଦିଲ୍ଲୀ ସରକାର ଅଧିକାରୀଙ୍କ କ୍ଷମତା ହ୍ରାସ ପାଇଛି । ଜାତୀୟ ରାଜଧାନୀରେ ପ୍ରଶାସନିକ ସେବା ଉପରେ ଦିଲ୍ଲୀ ସରକାରଙ୍କର ନୁହେଁ କେବଳ ଏଲ୍‌ଜି (ଉପରାଜ୍ୟପାଳ)ଙ୍କ ନିୟନ୍ତ୍ରଣ ରହିବ। ଏଲ୍‌ଜି ହିଁ ଦିଲ୍ଲୀରେ ପୂର୍ବଭଳି ବଦଳି ଓ ନିଯୁକ୍ତି ସଂକ୍ରାନ୍ତ ଅଧିକାର କାର୍ଯ୍ୟକାରୀ କରିବେ ବୋଲି ଶୁକ୍ରବାର ଦିନ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଛନ୍ତି। ଏହି ନିୟମ ଜାରି କରିବା ସହିତ କେନ୍ଦ୍ର ସରକାର ଜାତୀୟ ରାଜଧାନୀ ନାଗରିକ ସେବା ପ୍ରାଧିକରଣ ମଧ୍ୟ ଗଠନ କରିଛନ୍ତି । ଏହି କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହେବ କି, ସେମାନେ ସମସ୍ତ ଗ୍ରୁପ୍ ଏ ଏବଂ ଡାନିବ୍ ଅଧିକାରୀଙ୍କ ଟ୍ରାନ୍ସଫର ଏବଂ ନିଯୁକ୍ତି କରିବେ ।

କେନ୍ଦ୍ର ଦ୍ୱାରା ସୃଷ୍ଟି ହୋଇଥିବା ନୂତନ ପ୍ରାଧିକରଣରେ ତିନି ଜଣ ଲୋକ ସାମିଲ । ଏଥିମଧ୍ୟରେ ମୁଖ୍ୟତଃ ଦିଲ୍ଲୀର ସିଏମ୍, ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ଶାସନ ସଚିବ (ଗୃହ), ଏନସିଟି ସରକାର ସାମିଲ । ଏହି କର୍ତ୍ତୃପକ୍ଷଙ୍କ ପରାମର୍ଶରେ କେନ୍ଦ୍ର ନିଷ୍ପତ୍ତି ନେବ । ଏହା ସହିତ ଏକ ବ୍ୟବସ୍ଥା ମଧ୍ୟ ଅଛି ଯେ କେବଳ ସଂଖ୍ୟାଗରିଷ୍ଠତା ଦ୍ୱାରା ନିଷ୍ପତ୍ତି ନିଆଯିବ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ସରକାରଙ୍କୁ ଦିଆଯାଇଥିବା କ୍ଷମତାକୁ ହ୍ରାସ କରିବା ପାଇଁ ଏହି ନିୟମ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟ ସଚିବ ହୋମ୍ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତି ହୋଇଛନ୍ତି । ଅର୍ଥାତ୍ ନୂଆ ନିୟମ ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପ୍ରାଧିକରଣରେ ସଂଖ୍ୟାଲଘୁଙ୍କ ମଧ୍ୟରେ ହେବବ । ଅର୍ଥାତ୍ ଟ୍ରାନ୍ସଫର ପୋଷ୍ଟିଂ ଅଧିକାର କେନ୍ଦ୍ର ସରକାରଙ୍କ ପାଖରେ ରହିବ ।

କେନ୍ଦ୍ର ସରକାରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏହି ଅଧିକାରକୁ ନେଇ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ଆସିବା ଆରମ୍ଭ ହୋଇଛି । ଦିଲ୍ଲୀ ସରକାରୀ ମନ୍ତ୍ରୀ ଅତିଶୀ କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲଙ୍କୁ କେନ୍ଦ୍ର ସରକାର ଡରୁଛନ୍ତି, ଏହି ନିୟମ ସୁପ୍ରିମକୋର୍ଟଙ୍କୁ ଅବମାନନା କରୁଛି । ନିଷ୍ପତ୍ତି ନେବାକୁ ସରକାରଙ୍କର ଶକ୍ତି ରହିବା ଉଚିତ୍, ଏହା ହେଉଛି ଗଣତନ୍ତ୍ରର ସମ୍ମାନ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସିଏମ କେଜ୍ରିୱାଲଙ୍କୁ କ୍ଷମତା ଦେବାର ଭୟ ଥିବାରୁ କେନ୍ଦ୍ର ସରକାର ଏହି ନିୟମ ଆଣିଛନ୍ତି । ଏହି ନିୟମରୁ ଏହା ସ୍ପଷ୍ଟ ଜଣାପଡୁଛି ଯେ, କେନ୍ଦ୍ର ସରକାର ଅରବିନ୍ଦ କେଜ୍ରିୱାଲଙ୍କୁ ଡରୁଛନ୍ତି ଏବଂ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଡରୁଛନ୍ତି ।

Get real time updates directly on you device, subscribe now.