fbpx

ଚନ୍ଦ୍ର ପରେ ଏବେ ଇସ୍ରୋର ଫୋକସରେ ରହିଛି “ସୂର୍ଯ୍ୟ” ମିଶନ, ସେପ୍ଟେମ୍ବର ୨ରେ ଲଞ୍ଚ୍‌ ହୋଇପାରେ ଆଦିତ୍ୟ L-1

ଓଡିଶା ଭାସ୍କର; ଇସ୍ରୋ ପଠାଇଥିବା ଚନ୍ଦ୍ରଯାନ-୩ ନିରାପଦରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରି ବିଶ୍ୱର ପ୍ରଥମ ଦେଶ ଭାବେ ଇତିହାସ ରଚିଛି । ଇସ୍ରୋ ବୈଜ୍ଞାନିକଙ୍କ ଏହି ସମସ୍ତ ପ୍ରଚେଷ୍ଠା ଓ ପରିଶ୍ରମର ଫଳ ଶେଷରେ ଦେଶବାସୀଙ୍କୁ ମିଳିଛି । ଇସ୍ରୋ ବୈଜ୍ଞାନିକଙ୍କୁ ନେଇ ସାରା ଦେଶ ଗର୍ବ କରୁଥିବା ବେଳେ ବିଶ୍ୱର ଅନ୍ୟ ସମସ୍ତ ଦେଶ ସେମାନଙ୍କୁ ଖୁବ ପ୍ରଶଂସା କରିଛନ୍ତି । ୨୦୧୯ ରେ ଭାରତ ତାର ଚନ୍ଦ୍ର ଅଭିଯାନରେ ବିଫଳ ହୋଇଥିବା ବେଳେ ଦୀର୍ଘ ୫ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ଏବେ ଇସ୍ରୋର ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୩ ସଫଳତାପୂର୍ବକ ଚନ୍ଦ୍ରରେ ଅବତରଣ କରିଛି । ଲ୍ୟାଣ୍ଡରୁ ରୋଭର ବାହାରି ଚନ୍ଦ୍ରରେ ଧରାବତରଣ କରି ବର୍ତ୍ତମାନ ତଥ୍ୟ ସଂଗ୍ରହ କରିବାରେ ଲାଗି ପଡିଛି ରୋଭର ପ୍ରଜ୍ଞାନ । ଯାହାକୁ ଆଧାର କରି ସେଠାକାର ସ୍ଥିତି ବସବାସ ଉପଯୁକ୍ତ କି ନୁହେଁ ବୈଜ୍ଞାନିକମାନେ ଗବେଷଣା କରିବେ ।

ଚନ୍ଦ୍ର ମିଶନରେ ଏହି ବଡ଼ ସଫଳତା ହାସଲ କରିବା ପରେ ଇସ୍ରୋର ଫୋକସରେ ରହିଛି ମିଶନ “ସୂର୍ଯ୍ୟ”। ଆସନ୍ତା ସେପ୍ଟେମ୍ବର ୨ରେ ଲଞ୍ଚ୍‌ ହୋଇପାରେ ଆଦିତ୍ୟ L-1 । ଏନେଇ ସ୍ପେସ୍‌ ଆପ୍ଲିକେସନ ସେଣ୍ଟର ମୁଖ୍ୟ ନିଲେଶ ଦେଶାଇ ସୂଚନା ଦେଇଛନ୍ତି । ଏହି ମିଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସେ କହିଛନ୍ତି । ଆସନ୍ତା ସେପ୍ଟେମ୍ବର ୨ରେ ଆଦିତ୍ୟ L-1 ଲଞ୍ଚ୍‌ ହୋଇପାରେ ବୋଲି ସେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ବୈଜ୍ଞାନିକ ଗବେଷଣା ପାଇଁ ଏଥିରେ ୭ଟି ପେ’ଲୋଡ୍ ବା ଯନ୍ତ୍ର ସୂର୍ଯ୍ୟ ନିକଟକୁ ପଠାଯିବ । ସୂର୍ଯ୍ୟର ହାଇ ଡେଫିନେସନ୍ ବା HD ଫଟୋ ଉଠାଇବା ସହ, ଆଦିତ୍ୟ L-1 ର ମୁଖ୍ୟ ଉଦ୍ଦେଶ୍ୟ ରହିବ ସୂର୍ଯ୍ୟର ବାହ୍ୟସ୍ତର, ଚୁମ୍ବକୀୟ କ୍ଷେତ୍ର ଓ ସୂର୍ଯ୍ୟର ପୃଷ୍ଠଦେଶ ସଂପର୍କରେ ତଥ୍ୟ ସଂଗ୍ରହ କରିବ । ଏଥିପାଇଁ ପ୍ରାୟ ୪ଶହ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପୂର୍ବରୁ ଇସ୍ରୋ ସୂଚନା ଦେଇଥିଲା ।

ସୂଚନା ଥାଉକି, ୨ ଥର ମାନବବିହୀନ ଯାନ ପଠାଇବା ପରେ, ଶେଷରେ ଅନ୍ତରୀକ୍ଷକୁ ଯିବେ ଭାରତୀୟ ମହାକାଶଚାରୀ । ମିଶନ ପାଇଁ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ କ୍ର୍ୟୁ ମଡ୍ୟୁଲ ଏବଂ କ୍ର୍ୟୁ ଏସକେପ୍ ପ୍ରଦର୍ଶନ ପାଇଁ ବର୍ତମାନ ଜୋରସୋରରେ କାର୍ଯ୍ୟ ଚାଲିଛି । ଏହି ମିଶନ ପାଇଁ ୩ ଜଣଙ୍କୁ ମହାକାଶର ୪ଶହ କିଲୋମିଟର ଦୂରକୁ ପଠାଯିବ ବୋଲି ସୂଚନା ମିଳୁଛି ।

ପୃଥିବୀରୁ ସୂର୍ଯ୍ୟର ହାରାହାରି ଦୂରତା ପ୍ରାୟ ୧୫ କୋଟି କିଲୋମିଟର । ତେବେ ପୃଥିବୀଠୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ରହିଛି ସୂର୍ଯ୍ୟ-ପୃଥିବୀ ସିଷ୍ଟମର ପ୍ରଥମ ଲ୍ୟାଗରେଞ୍ଜ ପଏଣ୍ଟ ବା L-1 । ଉତକ୍ଷେପଣର ୪ ମାସ ପରେ ସେଠାରେ ଏକ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହେବ ଆଦିତ୍ୟ L-1 । ସେଠାରେ କୌଣସି ଗ୍ରହଣ କିମ୍ବା ପରାଗର ପ୍ରଭାବ ପଡ଼ୁନଥିବାରୁ, ଏହା ଅହରହ ସୂର୍ଯ୍ୟ ଉପରେ ଅଧ୍ୟୟନ ଜାରି ରଖିବ ।

 

Get real time updates directly on you device, subscribe now.