fbpx

ଆନ୍ଧ୍ରର ଦାଦାଗିରି, ଜୋର୍‌ ଜବରଦସ୍ତ କରି ଗଞ୍ଜାମର ୫ ମତ୍ସ୍ୟଜୀବୀଙ୍କୁ କଲେ ଅପହରଣ

ଓଡିଶା ଭାସ୍କର: ପୁଣି ଦେଖିବାକୁ ମିଳିଛି ଆନ୍ଧ୍ରର ଦାଦାଗିରି । ଓଡିଶା ସୀମାରେ ଆନ୍ଧ୍ର ଲଗାତାର ଦାଦାଗିରି କରିଆସୁଥିବା ବେଳେ ଏବେ ଜୋର୍‌ ଜବରଦସ୍ତ କରି ୫ ଓଡ଼ିଆ ମତ୍ସ୍ୟଜୀବୀଙ୍କୁ ଅପହରଣ କରିନେଇଛନ୍ତି । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍‌ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନଆର୍ଯ୍ୟପଲ୍ଲୀ ଗ୍ରାମର ୧୯ ଜଣ ମତ୍ସ୍ୟଜୀବୀ ଗତକାଲି ସକାଳେ ମାଛ ଧରିବାକୁକୁ ସମୁଦ୍ରକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ଜଣ ମତ୍ସ୍ୟଜୀବୀଙ୍କୁ ଟ୍ରଲର୍‌ରେ ମାଛ ଧରୁଥିବା ଆନ୍ଧ୍ରର ମତ୍ସ୍ୟଜୀବୀମାନେ ଅପହରଣ କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ସାନଆର୍ଯ୍ୟପଲ୍ଲୀ ଗ୍ରାମର ଏନ୍‌. କାମେୟା ଏବଂ ୱାଇ. ମୋହନଙ୍କ ଦୁଇଟି ଡଙ୍ଗାରେ ଏହି ୧୯ ଜଣ ମତ୍ସ୍ୟଜୀବୀ ଗତକାଲି ମାଛ ଧରିବାକୁ ଯାଇଥିଲେ। ଓଡ଼ିଶା ଉପକୂଳ ନିଷିଦ୍ଧାଞ୍ଚଳ ଭିତରକୁ ପଶି ଆନ୍ଧ୍ର ମତ୍ସ୍ୟଜୀବୀ ମାଛ ଧରିବାକୁ ବିରୋଧ କରିବା‌ରୁ ସମୁଦ୍ର ଭିତରେ ଉଭୟ ପକ୍ଷ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଆନ୍ଧ୍ରର ମତ୍ସ୍ୟଜୀବୀ ସାନଆର୍ଯ୍ୟପଲ୍ଲୀର ୫ଜଣ ମତ୍ସ୍ୟଜୀବୀଙ୍କୁ ଜୋର୍‌ ଜବରଦସ୍ତ ସେମାନଙ୍କ ଟ୍ରଲର୍‌ରେ ଅପହରଣ କରି ନେଯାଇଛନ୍ତି । ଏନେଇ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ୧୯ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ପ୍ରଥମେ ଦଶଜଣ ମତ୍ସ୍ୟଜୀବୀ ଫେରି ଆସିଥିବା ବେଳେ ଅପହରଣ ହୋଇଥିବା ମତ୍ସ୍ୟଜୀବୀମାନଙ୍କୁ ଖୋଜି ନିରାଶ ହୋଇ ଆଉ ଗୋଟିଏ ଡଙ୍ଗାରେ ୪ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଅବସ୍ଥାରେ ଫେରିଛନ୍ତି। ଅପହରଣ ହୋଇଥିବା ୫ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ନିମନ୍ତେ ମତ୍ସ୍ୟଜୀବୀ ନେତା ଏନ୍‌. ଦୀନବନ୍ଧୁ ଥାନାରେ ଏତଲା ଦେଇଛନ୍ତି। ଅପହରଣ ହୋଇଥିବା ୫ ଜଣ ମତ୍ସ୍ୟଜୀବୀ ହେଲେ କେ. ବାବାଜୀ, ଏନ୍‌. କାମେୟା, ବି. ମୋହନ, ଜି. ଏରେୟା ଓ ଜି. ଜାଙ୍ଗାଲି । ଅଭିଯୋଗ ପରେ ଏ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଅପହରଣ ହୋଇଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଓଡିଶା ଫେରିଆଣିବାକୁ ଚେଷ୍ଟା କରିଛି ପୋଲିସ ।

Get real time updates directly on you device, subscribe now.