‘ଯେତେବେଳେ ମୁଁ ଉଠିଲି, ମୋ ଚାରିପାଖରେ ମୃତଦେହ ଥିଲା’ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରୁ ବଞ୍ଚିଯାଇଥିବା ବ୍ୟକ୍ତି କହିଲେ ଛାତିଥରା କାହାଣୀ

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଯମ ପାଖରୁ ଫେରିଆସିଲେ ଜଣେ ଯାତ୍ରୀ ।

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ଦୁର୍ଘଟଣାରେ ଜଣେ ଯାତ୍ରୀ ବଞ୍ଚିଯାଇଥିବା ଖବର ଆସିଛି । ଅହମ୍ମଦାବାଦ ପୋଲିସ କମିଶନର ଜିଏସ ମଲିକ କହିଛନ୍ତି, ” ସିଟ୍ 11A ରେ ଜଣେ ବଞ୍ଚିଥିବା ବ୍ୟକ୍ତିଙ୍କୁ ପାଇଛି । ବ୍ୟକ୍ତି ଜଣକ ହସ୍ପିଟାଲରେ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି ।

‘ଯେତେବେଳେ ମୁଁ ଉଠିଲି, ମୋ ଚାରିପାଖରେ ମୃତଦେହ ଥିଲା’- ଏକ ରିପୋର୍ଟ ଅନୁଯାୟୀ, 40 ବର୍ଷୀୟ ବଞ୍ଚିଥିବା ବିଶ୍ୱାସ କୁମାର ରମେଶ ତାଙ୍କ କାହାଣୀ କହିଥିଲେ । ସେ କହିଥିଲେ, ଉଡ଼ାଣ ଆରମ୍ଭ ହେବାର 30 ସେକେଣ୍ଡ ପରେ ଏକ ଜୋରରେ ଶବ୍ଦ ହୋଇଥିଲା ଏବଂ ତା’ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ସବୁ ବହୁତ ଶୀଘ୍ର ଘଟିଥିଲା।

ଯେତେବେଳେ ମୁଁ ଉଠିଲି, ମୋ ଚାରିପାଖରେ ମୃତଦେହ ବିଛାଡ଼ି ହୋଇ ପଡ଼ିଥିଲା। ମୁଁ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇ ଆସିଲି । ମୋ ଚାରିପାଖରେ ବିମାନର ଖଣ୍ଡ ବିଛାଡ଼ି ହୋଇ ପଡ଼ିଥିଲା। କେହି ଜଣେ ମୋତେ ଧରି ଆମ୍ବୁଲାନ୍ସରେ ବସାଇ ହସ୍ପିଟାଲକୁ ନେଇଗଲେ ବୋଲି ଯାତ୍ରୀଜଣକ କହିଛନ୍ତି ।

ବିଶ୍ୱାସ ତାଙ୍କ ପରିବାରକୁ ଭେଟିବା ପାଇଁ ଆସିଥିଲେ- ବ୍ରିଟିଶ ନାଗରିକ ବିଶ୍ୱାସ କିଛି ଦିନ ପାଇଁ ତାଙ୍କ ପରିବାରକୁ ଭେଟିବା ପାଇଁ ଭାରତ ଆସିଥିଲେ ଏବଂ ତାଙ୍କ ଭାଇ ଅଜୟ କୁମାର ରମେଶ (୪୫)ଙ୍କ ସହ ବ୍ରିଟେନ ଫେରୁଥିଲେ ।

ବିଶ୍ୱାସ କହିଛନ୍ତି ଯେ ସେ ୨୦ ବର୍ଷ ଧରି ଲଣ୍ଡନରେ ରହୁଛନ୍ତି । ତାଙ୍କ ସ୍ତ୍ରୀ ଏବଂ ପିଲାମାନେ ମଧ୍ୟ ଲଣ୍ଡନରେ ରୁହନ୍ତି । ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟ କହିଛନ୍ତି ଯେ ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ଘଟଣା ପାଇଁ ସେ ଏବଂ ରାଣୀ କାମିଲା ମର୍ମାହତ ।