ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ । ସେନେଇ ପ୍ରତ୍ୟେକ ରାଜନୈତିକ ଦଳମାନେ ନିଜ ନିଜର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । କଂଗ୍ରେସ ମଧ୍ୟ ଏହି ରେସରେ ପଛରେ ପଡ଼ିନାହିଁ । ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ୧୮ ଜଣିଆ ସଦସ୍ୟ ବିଶିଷ୍ଟ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକ ଏହି ନିର୍ବାଚନ କମିଟିରେ ଅଧ୍ୟକ୍ଷ ରହିଛନ୍ତି ।
ଏହି ନିର୍ବାଚନ କମିଟିରେ ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଜୟ ପଟ୍ଟନାୟକ, ସପ୍ତଗିରି ଉଲାକା, ଭକ୍ତଚରଣ ଦାସ, ସୁଶୀଳା ତିରିଆ, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, ସନ୍ତୋଷ ସିଂ ସାଲୁଜା, ଅମିତା ବିଶ୍ୱାଳ, ଅଜୟନ୍ତୀ ପ୍ରଧାନ, ବିଶ୍ୱରଞ୍ଜନ ମହାନ୍ତି, ଅନନ୍ତ ସେଠୀ, ମାନସ ଚୌଧୁରୀ, ସସ୍ମିତା ବେହେରା, ଶୁଭେନ୍ଦୁ ମହାନ୍ତି ସ୍ଥାନ ପାଇଛନ୍ତି । ଏନେଇ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଆଗାମୀ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଅଛି । ଏଥିସହିତ ଚଳିତ ବର୍ଷ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ, ସିକିମ୍, ମହାରାଷ୍ଟ୍ର, ହରିୟାଣାରେ ବିଧାନସଭା ନିର୍ବାଚନ ହେବାର ଅଛି । ଗତ ବର୍ଷ କର୍ଣ୍ଣାଟକ, ତେଲେଙ୍ଗାନା ପରି କିଛି ରାଜ୍ୟରେ ସରକାର ଗଠନ କରିବା ପରେ କଂଗ୍ରେସର ମନୋବଳ ବେଶ୍ ବୃଦ୍ଧି ପାଇଛି । ତେଣୁ ଆଗାମୀ ବିଧାନସଭାରେ ଭଲ ପ୍ରଦର୍ଶନ କରିବା ପାଇଁ କଂଗ୍ରେସ ଲକ୍ଷ୍ୟ ରଖିଛି ।