ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୁବଶୀଘ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ମଙ୍ଗ ଧରିବେ ଜଣେ ନୂଆ ମଙ୍ଗୁଆଳ । କାହା ନାମ ଉପରେ ମୋହର ମାରିବ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ତା’ ଉପରେ ଏବେ ସଭିଙ୍କ ନଜର । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ରାଜ୍ୟ କଂଗ୍ରେସ ମଧ୍ୟ ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତା ୪ ତାରିଖରେ ଗାନ୍ଧୀ ପରିବାରର ଖାସ୍ କୁହାଯାଉଥିବା ଛତିଶଗଡ଼ର ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ ଓ ବରିଷ୍ଠ ନେତ୍ରୀ ମିନାକ୍ଷୀ ନଟରାଜନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଦୁଇ ନେତା ରାଜ୍ୟ ନେତାଙ୍କ ସହ ଆଲୋଚନା କରି କେନ୍ଦ୍ରକୁ ରିପୋର୍ଟ ପ୍ରଦାନ କରିବେ । ତା’ପରେ ରାଜ୍ୟର ପରବର୍ତ୍ତୀ ସଭାପତିଙ୍କ ନାମ ଘୋଷଣା କରିବ ଏଆଇସିସି ।
ତେବେ ପରବର୍ତ୍ତୀ ପିସିସି ମୁଖ୍ୟଙ୍କ ଚୟନ ପାଇଁ ଏଆଇସିସି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ରାଜ୍ୟ କଂଗ୍ରେସରେ । ପରବର୍ତ୍ତୀ ପିସିସି ଆସନରେ କିଏ ବସିବ ତାହାକୁ ନେଇ ନେତାଙ୍କ ମଧ୍ୟରେ ଲବି ଆରମ୍ଭ ହୋଇଯାଇଛି । ଏହା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ମହମ୍ମଦ ମୋକିମ୍ ଏକ ବନ୍ଧୁମିଳନ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହି ବନ୍ଧୁମିଳନର ଆୟୋଜନ କରି ମୋକିମ୍ ଏଆଇସିସିର ଦୃଷ୍ଟି ଆକର୍ଷଣ କରିବାକୁ ପ୍ରୟାସ କରୁଥିବା ଆଲୋଚନା ହେଉଛି । ଅନ୍ୟପକ୍ଷରେ ମୋକିମଙ୍କୁ ପିସିସି ସଭାପତି ଆସନରେ ବସାଇବା ନେଇ କିଛି ନେତା ଖୋଲାଖୋଲି ଭାବେ କହିଛନ୍ତି । ଆଉ କିଛି ଦିନର ଅପେକ୍ଷା, ଦେଖାଯାଉ, ଦଳର ହାଇକମାଣ୍ଡ କାହା ମୁଣ୍ଡରେ କଳସ ଢାଳୁଛନ୍ତି ।