ଗୁଜୁରାଟ: ଗୁରୁବାର ଅପରାହ୍ନରେ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ବିମାନଟି, AI ୧୭୧ ଭାବରେ କାର୍ଯ୍ୟ କରୁଥିଲା, ୨୪୨ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିବା ମାତ୍ରେ ଅପରାହ୍ନ ୧ଟାରୁ ୨ଟା ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ଏବେସୁଦ୍ଧା ପାଖାପାଖି ୧୩୦ ଜଣଙ୍କରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
କମ୍ପାନୀ ଏକ ସଂକ୍ଷିପ୍ତ ବିବୃତ୍ତିରେ ଘଟଣାର ସତ୍ୟତା ସ୍ୱୀକାର କରିଛି ଯେ ଲଣ୍ଡନ ଗାଟୱିକ୍ ଯାଉଥିବା ବିମାନ AI 171 ଉଡ଼ାଣ ଭରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାସ୍ଥଳରୁ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ବ୍ୟାପକ ଭଗ୍ନାବଶେଷ ଏବଂ ଦୁର୍ଘଟଣାର ପରବର୍ତ୍ତୀ ଅବସ୍ଥା ଦେଖାଯାଉଛି।
ଏହି ଦୁର୍ଘଟଣାରେ ପାଖାପାଖି ୧୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୨୪ରୁ ଅଧିକ ଆମ୍ୱୁଲାନ୍ସ ପହଞ୍ଚିଛି।
ଦୁର୍ଘଟଣା ପରେ ସମଗ୍ର ଆକାଶ ଧୂଆଁ ମୟ ହୋଇଯାଇଥିଲା। ଏବଂ ଆଖପାଖ କୋଠାରେ ମଧ୍ୟ ନିଆଁ ଲାଗିଯିବା ସହ, ପାଖରେ ଥିବା ଗାଡ଼ି ମଟର ମଧ୍ୟ ଜଳି ଉଠିଥିଲା।
ଉଡ଼ାଣ ଆରମ୍ଭ କରିବାର କିଛି ମିନିଟ୍ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଜି ଅପରାହ୍ନ ୧:୧୭ ରେ ଉଡ଼ାଣ ଆରମ୍ଭ ହୋଇଥିଲା।
ବିମାନବନ୍ଦରକୁ ଯାଉଥିବା ଅନେକ ରାସ୍ତାକୁ ବନ୍ଦ କରିଦିଆଯାଇଛି।
ଜରୁରୀକାଳୀନ ସେବା ଆରମ୍ଭ ହୋଇଛି, ଅଗ୍ନିଶମ ବାହିନୀ ଏବଂ ଡାକ୍ତରୀ ଦଳ ଉଦ୍ଧାର କାର୍ଯ୍ୟ ପାଇଁ ବିମାନବନ୍ଦରରେ ପହଞ୍ଚିଛନ୍ତି।
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରପୁ କହିଛନ୍ତି ଯେ ସେ ବ୍ୟକ୍ତିଗତ ଭାବରେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ସମସ୍ତ ବିମାନ ଚଳାଚଳ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ଏଜେନ୍ସିଗୁଡ଼ିକୁ ଶୀଘ୍ର ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।