ଏବେ 58 ନୁହେଁ, 65 ବର୍ଷରେ ନେବେ ଅବସର; ପାଇଲଟଙ୍କ ଅବସର ବୟସ ବଢାଇଲା ଟାଟା କମ୍ପାନୀ
ପାଇଲଟଙ୍କ ପାଇଁ ଖୁସି ଖବର । ବଢିଲା ପାଇଲଟଙ୍କ ଅବସର ବୟସ ସୀମା । ଏବେ ୫୮ ବର୍ଷ ବଦଳରେ ୬୫ ବର୍ଷରେ ଅବସର ନେବେ ପାଇଲଟ ।
ନୂଆଦିଲ୍ଲୀ: ପାଇଲଟଙ୍କ ପାଇଁ ଖୁସି ଖବର । ବଢିଲା ପାଇଲଟଙ୍କ ଅବସର ବୟସ ସୀମା । ଟାଟା ଗ୍ରୁପର ଏକ ଅଂଶ ବନିଥିବା ଏୟାରଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆ ଏହାର ପାଇଲଟମାନଙ୍କ ଅବସର ବୟସ ବୃଦ୍ଧି କରିଛି। ଏବେ ପାଇଲଟମାନେ ୫୮ ବର୍ଷ ବଦଳରେ ୬୫ ବର୍ଷରେ ଅବସର ନେବେ।
ବାକି କର୍ମଚାରୀଙ୍କ ଅବସର ବୟସ ୫୮ ରୁ ୬୦ ବର୍ଷ କରାଯାଇଛି। ଏୟାର ଇଣ୍ଡିଆରେ ପ୍ରାୟ ୨୪,୦୦୦ କର୍ମଚାରୀ ଅଛନ୍ତି। ଏଥିରେ ୩,୬୦୦ ପାଇଲଟ ଏବଂ ୯,୫୦୦ କ୍ୟାବିନ କ୍ରୁ ସଦସ୍ୟ ଅନ୍ତର୍ଭୁକ୍ତ। କିନ୍ତୁ, ପାଇଲଟଙ୍କ ପରି କ୍ୟାବିନ କ୍ରୁ ସଦସ୍ୟଙ୍କ ଅବସର ବୟସ ମଧ୍ୟ ୬୫ ବର୍ଷ ହୋଇଛି ନା ନାହିଁ, ତାହା ସୂଚନା ମିଳି ନାହିଁ ।
ସୂତ୍ର ଅନୁଯାୟୀ, ଏୟାର ଇଣ୍ଡିଆର ସିଇଓ ଏବଂ ଏମଡି କ୍ୟାମ୍ପବେଲ ୱିଲସନ ଏକ ବୈଠକରେ ଅବସର ବୟସ ସୀମା ବୃଦ୍ଧି ଘୋଷଣା କରିଛନ୍ତି।
ନିୟମ କ’ଣ କୁହେ?
ବିମାନ ନିୟାମକ ଡିଜିସିଏର ନିୟମ ଅନୁଯାୟୀ, କମରସିଆଲ ପାଇଲଟମାନେ 65 ବର୍ଷ ବୟସ ପର୍ଯ୍ୟନ୍ତ ବିମାନ ଉଡ଼ାଇପାରିବେ। ଏକ ସୂତ୍ର କହିଛି ଯେ, “ପୂର୍ବରୁ କିଛି ସମସ୍ୟାକୁ ନେଇ ଏୟାର ଇଣ୍ଡିଆ ଏବଂ ଭିସ୍ତାରାର ପାଇଲଟମାନଙ୍କ ମଧ୍ୟରେ ଅସନ୍ତୋଷ ଥିଲା। ଏଥିରେ ଭିନ୍ନ ଭିନ୍ନ ଅବସର ବୟସ ମଧ୍ୟ ଶାମିଲ ଥିଲା। ବର୍ତ୍ତମାନ ଏହି ସମସ୍ୟାର ସମାଧାନ ହୋଇଛି।” 2022 ମସିହାରେ, ଟାଟା ଗ୍ରୁପ୍ ଦ୍ୱାରା ଏୟାର ଇଣ୍ଡିଆକୁ କିଣାଯାଇଥିଲା। ଟାଟା ଗ୍ରୁପ୍ ଏହାକୁ ପୁଣି ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ପାଞ୍ଚ ବର୍ଷର ଲକ୍ଷ୍ୟ ରଖିଛି।