ସଠିକ ସମୟରେ ଲ୍ୟାଣ୍ଡ କରିପାରିଲାନି Air India, ଯାତ୍ରୀଙ୍କୁ ଅଧରାସ୍ତାରେ ଛାଡି ଚାଲିଗଲେ ପାଇଲଟ୍

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜୟପୁର ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏୟାର ଇଣ୍ଡିଆର ପାଇଲଟ ଅଧାରୁ ବିମାନ ଛାଡି ଚାଲିଯାଇଛନ୍ତି । ପ୍ୟାରିସରୁ ଦିଲ୍ଲୀ ଯାଉଥିବା ବିମାନରେ 180ରୁ ଅଧିକ ଯାତ୍ରୀ ରହିଥିଲେ । କିନ୍ତୁ ବିମାନ ସମୟରେ ବିଳମ୍ବ ହେବାରୁ ଏବଂ ଡ୍ୟୁଟି ସମୟ ଆସିଯିବା କାରଣରୁ ପାଇଲଟ ସେଠାରୁ ଚାଲିଯାଇଥିଲେ । ଏହି କାରଣ ପାଇଁ ଯାତ୍ରୀମାନେ 9 ଘଣ୍ଟା ଧରି ହଇରାଣ ହରକତ ହେଉଥିବା ଦେଖାଯାଇଥିଲା । ପରବର୍ତ୍ତୀ ସମୟପେ ତାଙ୍କୁ  ସଡକପଥରେ ଦିଲ୍ଲୀ ପଠାଯାଇଥିଲା ।

ଘଟଣା ସୋମବାର ସକାଳର ଅଟେ । ଏୟାର ଇଣ୍ଡିଆ AI-2022 ଫ୍ଲାଇଟ୍ ରବିବାର ରାତି 10ଟାରେ ପ୍ୟାରିସରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲା । ସେମବାର ସକାଳ 10ଟା 35 ମିନିଟରେ ଦିଲ୍ଲୀ ପହଞ୍ଚିବା ନେଇ ସ୍ଥିର କରାଯାଇଥିଲା । କିନ୍ତୁ ପାଗ ଖରାପ କାରଣରୁ ଫ୍ଲାଇଟ ଦିଲ୍ଲୀରେ ଲ୍ୟାଣ୍ଡ କରିପାରିଲା ନାହିଁ । ଏହାପରେ ସକାଳ 12ଟା 10 ମିନିଟରେ ଫ୍ଲାଇଟକୁ ଜୟପୁରରେ ଲ୍ୟାଣ୍ଡ କରାଯାଇଥିଲା । ଏହାପରେ ଗ୍ରୀନ ସିଗନାଲ ପାଇଁ ପାଇଲଟ ଜଣକ ଅପେକ୍ଷା କରିଥିଲେ ହେଁ ଦ୍ବିପହର ଯାଏଁ ଏହା ସମ୍ଭବ ହୋଇପାରିନଥିଲା । ତେବେ ଡ୍ୟୁଟି ଓଭର ହେବା କାରଣରୁ ପାଇଲଟ ଜଣକ ବିମାନ ଛାଡି ପଳେଇ ଯାଇଥିଲେ । ଏହାକୁ ନେଇ ବିବାଦ ଦେଖାଯାଇଥିଲା । ହଙ୍ଗାମା ହେବା ପରେ ଯାତ୍ରୀଙ୍କୁ ବସ୍ ଯୋଗେ ଦିଲ୍ଲୀ ପଠାଯାଇଥିଲା ।