fbpx

ଭୁବନେଶ୍ୱରର ବାୟୁ ପ୍ରଦୂଷଣ ଅସମ୍ଭାଳ, ବେଳ ଥାଉଥାଉ ସଚେତନ ନହେଲେ ହୋଇପାରେ ଦିଲ୍ଲୀଠାରୁ ଭୟଙ୍କର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ରାଜଧାନୀ ଦିଲ୍ଲୀର ଅବସ୍ଥା ବର୍ତ୍ତମାନ ସାଙ୍ଘାତିକ । ସେଠାରେ ବାୟୁ ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଛି ଯେ ତାହା ଶରୀର ପକ୍ଷେ ଅତ୍ୟନ୍ତ ଭୟଙ୍କର । କିଛିଦିନ ପୂର୍ବରୁ ସେଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ପାଖାପାଖି ୩୮୬ ରହିଥିବାରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁଇଦିନ ପାଇଁ ଲକଡାଉନ ଲାଗୁ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ପ୍ରଦୂଷଣକୁ ନେଇ ବର୍ତ୍ତମାନ କୌଣସି ନିଷ୍କର୍ସ ବାହାରିନଥିବା ବେଳେ ବର୍ତ୍ତମାନ ଦିଲ୍ଲୀରେ ସ୍କୁଲ ବନ୍ଦ କରାଯାଇ ୱାର୍କ ଫ୍ରମ ହୋମ୍ କରିବାକୁ କୁହାଯାଇଛି ।

ଏପରିସ୍ଥଳେ ଯଦି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର କଥା ଆଲୋଚନା କରିବା, ତେବେ ଏଠାରେ ମଧ୍ୟ ସ୍ଥିତି କିଛି ଭଲ ନାହିଁ । ଗତ ଦିପାବଳୀରେ ଏଠାରେ ଏକ୍ୟୁଆଇ ୨୧୮ ଥିବା ବେଳେ ବର୍ତ୍ତମାନ ୧୦୦ ତଳକୁ ଖସୁନାହିଁ । ତେବେ ବାସ୍ତବରେ ଭୁବନେଶ୍ୱରର ଏକ୍ୟୁଆଇ ଆହୁରି ଯଥେଷ୍ଟ ଅଧିକ ବୋଲି ପ୍ରାଇଭେଟ୍ ସଂସ୍ଥାଙ୍କ ରିପୋର୍ଟରୁ ଜଣାପଡ଼ିଛି । ଏଠାରେ କୁହାଯାଇପାରେ ଯେ, ଦିଲ୍ଲୀରେ ବାୟୁ ପ୍ରଦୂଷଣ ଗୋଟିଏ ଦିନରେ ହୋଇନାହିଁ । ପୂର୍ବରୁ ସେଠାକାର ସ୍ଥିତି ନେଇ କେହି ଗୁରୁତ୍ୱ ଦେଉନଥିଲେ । ଅନୁରୂପ ଭାବେ ଭୁବନେଶ୍ୱରର ଅବସ୍ଥା ଭୟଙ୍କର ଆଡ଼କୁ ଗତି କରିବା ପୂର୍ବରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ । ଟ୍ରାଫିକ ପୋଲିସ ତଥ୍ୟ ଅନୁଯାୟୀ, ଭୁବନେଶ୍ୱରରେ ଦୈନିକ ପ୍ରାୟ ୧୦ ଲକ୍ଷରୁ ଅଧିକ ଗାଡ଼ି ଚଳାଚଳ କରୁଛି । ଏହାବ୍ୟତୀତ ସହର ବାହାରର ଲକ୍ଷ ଲକ୍ଷ ଗାଡ଼ି ମଧ୍ୟ ଏଠାକୁ ଯା’ ଆସ କରୁଛି । ଏଠାରେ ଗଳିକନ୍ଦିରେ ପ୍ରାୟ ସବୁ ସମୟରେ ରାସ୍ତା କାର୍ଯ୍ୟ ଚାଲୁଛି । ଅନେକ କୋଠାବାଡ଼ି ନିର୍ମାଣ ଜାରି ରହିବା ଫଳରେ ଅନେକ ପରିମାଣରେ ଧୂଳୁ ଉଡ଼ୁଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିହ୍ନଟ କରିଥିବା ୧୦୨ଟି ସହର ମଧ୍ୟରେ ଭୁବନେଶ୍ୱର, କଟକ, ଅନୁଗୁଳ, ତାଳଚେର, ବାଲେଶ୍ୱର ଓ ରାଉରକେଲା ସ୍ଥାନ ପାଇଥିଲେ ହେଁ ପ୍ରଦୂଷଣ ହ୍ରାସ ନେଇ କୌଣସି ପ୍ଲାନିଂ ହୋଇନାହିଁ । ଏ ଦିଗରେ ଯଦି ଖୁବଶୀଘ୍ର ଆକ୍ସନ ନିଆ ନଯାଏ, ତେବେ ଦିଲ୍ଲୀ ପରି ଓଡ଼ିଶାରେ ମଧ୍ୟ ମାସ୍କ ପିନ୍ଧି ଚାଲିବାକୁ ପଡ଼ିବ ।

Get real time updates directly on you device, subscribe now.