EDରେ ଅନେକ ଘଣ୍ଟା ଧରି ଜେରା ହେଲେ ଐଶ୍ଵର୍ଯ୍ୟା, ସଂସଦରେ ତାତି ଉଠିଲେ ଶାଶୁ ଜୟା ବଚ୍ଚନ

ନୂଆଦିଲ୍ଲୀ : ପାନାମା ପେପର୍ସ ମାମଲାରେ ବୋହୂ ଐଶ୍ଵର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡି ଜେରା କରିବାକୁ ସହଜରେ ହଜମ କରି ପାରିନାହାନ୍ତି ଶାଶୁ ଜୟା ବଚ୍ଚନ। ବୋହୂଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଜେରା କରାଯାଉଥିବା ଅଭିଯୋଗ କରି ଶାସକ ବିଜେପି ବିରୋଧରେ ରାଜ୍ୟସଭାରେ ଖୁବ୍ ବର୍ଷିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ। ବିଜେପିକୁ ଟାର୍ଗେଟ୍ କରି ଜୟା ବଚ୍ଚନ କହିଛନ୍ତି, ବିଜେପିର ଖରାପ ସମୟ ଆରମ୍ଭ ହୋଇ ଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାମ୍ନାରେ ଐଶ୍ଵର୍ଯ୍ୟା ରାୟ ହାଜର ହେବାର କିଛି ଘଣ୍ଟା ପରେ ନିଜର କ୍ରୋଧ ଜାହିର କରିଛନ୍ତି ଜୟା ବଚ୍ଚନ।
ଜୟା ବଚ୍ଚନ ଦାବି କରିଛନ୍ତି ଯେ, ଗୃହରେ ସଦସ୍ୟମାନେ ବ୍ୟକ୍ତିଗତ ଟିପ୍ପଣୀ କରିଛନ୍ତି। କିନ୍ତୁ ମୁଁ କାହା ଉପରେ କୌଣସି ବ୍ୟକ୍ତିଗତ ଟିପ୍ପଣୀ କରିବାକୁ ଚାହୁଁନାହିଁ। ଯାହା ହେଲା ବହୁତ ଦୁର୍ଭାଗ୍ୟପୂର୍ଣ୍ଣ କଥା। ମୁଁ ଏସବୁ କହିବାକୁ ଚାହୁଁନଥିଲି, କିନ୍ତୁ ଯେପରି ଭାବେ ଏଜେନ୍ସି ଦ୍ଵାରା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ମୁଁ କହିବାକୁ ବାଧ୍ୟ ହେଲି। ସୂଚନାଯୋଗ୍ୟ, ସୋମବାର ରାଜ୍ୟସଭାରେ ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନଏବଂ ଟ୍ରେଜରୀ ବେଞ୍ଚ ମଧ୍ୟରେ ମୌଖିକ ବିବାଦ ପରେ ବିରୋଧୀଙ୍କ ଦ୍ଵାରା ହଙ୍ଗାମା ଜୋରଦାର ହୋଇଥିଲା। ଏହା ପରେ ରାଜ୍ୟସଭାକୁ ସ୍ଥଗିତ ରଖିବାକୁ ପଡିଥିଲା।
ଉଲ୍ଲେଖନୀୟ ପାନମା ପେପର୍ସ ମାମଲାରେ ବଲିଉଡ ଅଭିନେତ୍ରୀ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ସୋମବାର ଇଡି ସାମ୍ନାରେ ହାଜର ହୋଇଛନ୍ତି। ୨୦୦୫ରେ କଥିତ ନକଲି କମ୍ପାନୀକୁ ନେଇ ପଚରାଉଚୁରା କରାଯାଇଛି। ଅନେକ ଘଣ୍ଟା ପଚରାଉଚୁରା ପରେ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ସୋମବାର ସନ୍ଧ୍ୟା ପ୍ରାୟ ୭ଟା ୩୦ରେ ଇଡି କାର୍ଯ୍ୟାଳୟରୁ ବାହାରିଛନ୍ତି।