ମୁମ୍ବାଇ: ଚଳିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅନ୍ୟ ବର୍ଷ ତୁଳନାରେ ରୋଚକ ହେବାକୁ ଯାଉଛି । ଚଳିତ ଥର ସରଦ ପାୱାର ଖେଳିଛନ୍ତି ପୁତୁରା କାର୍ଡ । ରାଜନୀତିରେ ହାତ ଧରି ବାଟ କଢେଇଥିବା ଅଜିତ ପାୱାର ଦାଦାଙ୍କୁ ପଟି ମାରିବା ପରେ ଦାଦା ପୁତୁରାକୁ ଶିକ୍ଷା ଦେବାକୁ ପ୍ରସ୍ତୁତ କରିଛନ୍ତି ରଣନୀତି । ଏଥର ସେ ପୁତୁରା ବିପକ୍ଷରେ ପୁତୁରାକୁ ଠିଆକରୁଛନ୍ତି ।
ମହାରାଷ୍ଟ୍ରର ବାରାମତି ଆସନ ଉପରେ ସମସ୍ତଙ୍କ ନଜର । ଏହି ଆସନ ୧୯୯୧ରୁ ଅଜିତ ପାୱାର ନିଜ କବଜାରେ ରଖି ଆସିଛନ୍ତି । କିନ୍ତୁ ଚଳିତ ବର୍ଷ ସ୍ଥିତିରେ ପରିବର୍ତ୍ତନ ହୋଇଛି । ଅଜିତ ମୂଳ ଏନସିପିରୁ ଅଲଗା ହୋଇ ନିଜର ଦଳ କରିଛନ୍ତି ଓ ଏଥିରୁ ଚଳିତ ଥର ପ୍ରଥମ କରି ଲଢିବେ । ସରଦଙ୍କଠାରୁ ଅଲଗା ହେବା ପରେ ଏନସିପି (ସରଦ) ଓ ଏନସିପି (ଅଜିତ) ପରି ଦୁଇଟି ଦଳ ହୋଇଛି, ଯାହା ରାଜ୍ୟ ରାଜନୀତିର ଦୃଶ୍ୟପଟ୍ଟକୁ ବଦଳାଇ ଦେଇଛି । ଯାହାର ପ୍ରଭାବ ବିଶେଷ କରି ବାରାମତିରେ ଦେଖିବାକୁ ମିଳିବ ।
ଏହି ଆସନରୁ ଅଜିତ ପାୱାରଙ୍କ ବିପକ୍ଷରେ ପରିବାରର ଅନ୍ୟ ଜଣେ ସଦସ୍ୟ ଯୋଗେନ୍ଦ୍ର ପାୱାରଙ୍କୁ ପ୍ରାର୍ଥୀ କରିଛନ୍ତି । ଅଜିତ ପାୱାର ସରଦଙ୍କ ପୁତୁରା ହୋଇଥିବା ବେଳେ ଯୋଗେନ୍ଦ୍ର ହେଉଛନ୍ତି ଅଜିତଙ୍କ ପୁତୁରା, ତାଙ୍କ ବଡ ଭାଇଙ୍କ ପୁଅ । ଏହା ପାରିବାର ଲଢେଇ ହେବାକୁ ଯାଉଛି ବାରାମତିରେ । ଅଜିତ ଦେଇଥିବା ମାତକୁ ସରଦ ଯୋଗେନ୍ଦ୍ରଙ୍କ ଦ୍ୱାରା ଅଜିତଙ୍କୁ ଦେବାକୁ ଯାଉଛନ୍ତି ବୋଲି କୁହାଯାଉଛି ।
ତେବେ ଏହି ଆସନରେ ଲୋକସଭା ନିର୍ବାଚନ ମଧ୍ୟ ଦମଦାର ହୋଇଥିଲା । ଅଜିତ ପାୱାର ନିଜ ପତ୍ନୀ ସୁନେତ୍ରଙ୍କୁ ଠିଆକରିଥିବା ବେଳେ ସରଦ ନିଜ ଝିଅ ସୁପ୍ରିୟା ସୁଲେଙ୍କୁ ପ୍ରାର୍ଥୀ କରିଥିଲେ । ଲଢେଇ ଶେଷରେ ସୁନେତ୍ରଙ୍କୁ ପରାସ୍ତ କରି ସୁପ୍ରିୟା ବିଜୟୀ ହୋଇଥିଲେ । ଏବେ ଦେଖିବାକୁ ରହିଲା, ବିଧାନସଭା କ୍ଷେତ୍ରରେ କାହା ଗୋଷ୍ଠୀ ବିଜୟୀ ହେଉଛି ।