ନୂଆଦିଲ୍ଲୀ: ଅଖଣ୍ଡ ଭାରତର ଏଜେଣ୍ଡା ଆରଏସଏସ ପାଇଁ ସର୍ବଦା ସର୍ବୋପରି ରହି ଆସିଛି। ଏଥର ଏହାକୁ ନେଇ ସରସଂଘଚାଳକ ମୋହନ ଭାଗବତ ବଡ ବୟାନ ଦେଇଛନ୍ତି। ଭାଗବତ ହରିଦ୍ଵାରରେ କହିଛନ୍ତି ସନାତନ ଧର୍ମ ହିଁ ହିନ୍ଦୁ ରାଷ୍ଟ୍ର। ଏମିତିରେ ଆଗାମୀ ୨୦ ରୁ ୨୫ ବର୍ଷରେ ଭାରତ ଅଖଣ୍ଡ ଭାରତରେ ପରିଣତ ହେବ। ଯଦି ଆମେ କିଛିଟା ଉଦ୍ୟମ କରନ୍ତି ତେବେ ସ୍ଵାମୀ ବିବେକାନନ୍ଦ ଏବଂ ମହର୍ଷି ଅରବିନ୍ଦଙ୍କ ସ୍ଵପ୍ନର ଅଖଣ୍ଡ ଭାରତ ୧୦ ରୁ ୧୫ ବର୍ଷରେ ତିଆରି ହୋଇଯିବ। ଏହାକୁ କେହି ଅଟକାଇ ପାରିବେ ନାହିଁ। ଯିଏ ଏହାର ରାସ୍ତାରେ ଆସିବ ଧ୍ଵଂସ ହୋଇଯିବ।
ଆରଏସଏସ ପ୍ରମୁଖ କହିଛନ୍ତି, ଯେଉଁ ପ୍ରକାର ଭଗବାନ ଶ୍ରୀକୃଷ୍ଣଙ୍କ ଆଙ୍ଗୁଳିରେ ଗୋବର୍ଦ୍ଧନ ପର୍ବତ ଉଠିଥିଲା, ଠିକ୍ ସେହି ପରି ସନ୍ଥଙ୍କ ଆର୍ଶୀବାଦରୁ ଭାରତ ପୁଣି ଥରେ ଅଖଣ୍ଡ ଭାରତରେ ପରିଣତ ହେବ। ଏହାକୁ କେହି ଅଟକାଇ ପାରିବେ ନାହିଁ। କିନ୍ତୁ ସାଧାରଣ ଜନତାଙ୍କୁ ଟିକେ ଉଦ୍ୟମ କରିବାକୁ ପଡିବ। ଭାରତ ଉତଥାନର ମାର୍ଗରେ ଆଗକୁ ବଢି ଚାଲିଛି। ଏହି ମାର୍ଗରେ ସମସ୍ତଙ୍କୁ ଆଗକୁ ବଢିବାକୁ ପଡିବ ଏବଂ ଏହାକୁ ରୋକିବାକୁ କେହି ପ୍ରୟାସ ନକରିବା ଉଚିତ୍। ଯିଏ ସାଥୀରେ ଆସିବ ନାହିଁ ଅନ୍ତତଃ ସେ ରାସ୍ତାରେ ବାଧକ ନସାଜୁ। ନଚେତ୍ ଧ୍ଵଂସ ପାଇଯିବ ବୋଲି ମୋହନ ଭାଗବତ କହିଛନ୍ତି।
ସେ କହିଛନ୍ତି, ଆମେ ଭିନ୍ନ ହୋଇ ପାରନ୍ତି, ମାତ୍ର ଅଲଗା ନୁହେଁ। ଏକ ହୋଇ ଦେଶ ପାଇଁ ଯଦି ବଞ୍ଚିବା ଏବଂ ମରିବା ଆରମ୍ଭ କରି ଦେବା ଏବଂ ଯେଉଁ ଗତିରେ ଭାରତ ଉତଥାନର ମାର୍ଗରେ ଆଗକୁ ବଢୁଛି, ମୁଁ ବିଶ୍ଵାସର ସହ କହି ପାରିବି ଭାରତ ଆଗାମୀ ୧୦ ରୁ ୧୫ ବର୍ଷରେ ଅଖଣ୍ଡ ଭାରତରେ ପରିଣତ ହେବ।
ଭାଗବତ କହିଛନ୍ତି, ଏକ ହଜାର ବର୍ଷ ଧରି ଭାରତର ସନାଧନ ଧର୍ମକୁ ସମାପ୍ତ କରିବାକୁ ପ୍ରୟାସ କରାଯାଇଛି। ଆଉ ସେମାନେ ସମସ୍ତେ ଧ୍ଵଂସ ହୋଇଗଲେ। କିନ୍ତୁ ଆମେ ଏବଂ ଆମର ସନାତନ ଧର୍ମ ଆଜି ମଧ୍ୟ ଉଜ୍ଜୀବିତ ରହିଛି। ଭାରତ ହେଉଛି ଏମିତି ଏକ ମାତ୍ର ଦେଶ ଯେଉଁଠି ଦୁନିଆର ଦୁଷ୍ଟ ପ୍ରବୃତ୍ତିର ବ୍ୟକ୍ତି ସମାପ୍ତ ହୋଇ ଯାଆନ୍ତି। ଭାରତକୁ ଆସି ଠିକ୍ ହୋଇ ପାରିବେ କିମ୍ବା ଧ୍ଵଂସ ପାଲଟିବେ।
ଆରଏସଏସ ପ୍ରମୁଖ ମୋହନ ଭାଗବତ ହରିଦ୍ଵାରରେ କନଖଲର ସନ୍ନ୍ୟାସ ରୋଡ୍ ସ୍ଥିତ ଶ୍ରୀକୃଷ୍ଣ ନିବାସ ଆଶ୍ରମ ଏବଂ ପୂର୍ଣ୍ଣାନନ୍ଦ ଆଶ୍ରମରେ ବ୍ରହ୍ମଲୀନ ମହାମଣ୍ଡଳେଶ୍ଵର ସ୍ଵାମୀ ଦିବ୍ୟାନନ୍ଦ ଗିରି ମହାରାଜଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ଏବଂ ଗୁରୁତ୍ରୟ ମନ୍ଦିରର ଲୋକାର୍ପଣ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।