ନୂଆଦିଲ୍ଲୀ: ବୁଧବାର ଦିନ ସୁପ୍ରିମକୋର୍ଟ ଏକ ରାୟ ଶୁଣାଇଛନ୍ତି ଯେ, ହିନ୍ଦୁ ବିବାହ ଆଇନ (ଏଚଏମଏ) ୧୯୫୫ ଅନୁଯାୟୀ ବିବାହକୁ ଅସିଦ୍ଧ ଘୋଷଣା କରାଯାଇଥିଲେ ମଧ୍ୟ ଉଭୟ ପକ୍ଷରେ ଯେକେଔରସି ବ୍ୟକ୍ତି ମଧ୍ୟବର୍ତ୍ତୀକାଳୀନ ଭରଣପୋଷଣ ଏବଂ ସ୍ଥାୟୀ ଭରଣପୋଷଣ ଦାବି କରିପାରିବେ ।
ବମ୍ବେ ହାଇକୋର୍ଟର ଏକ ନିଷ୍ପତ୍ତିରେ ଅବୈଧ ପତ୍ନୀ ଭଳି ଶବ୍ଦ ବ୍ୟବହାର ଉପରେ ମଧ୍ୟ ସୁପ୍ରିମକୋର୍ଟ ଆପତ୍ତି ଉଠାଇଥିଲେ । ଏହାକୁ ମହିଳାଙ୍କ ପ୍ରତି ପକ୍ଷପାତପୂର୍ଣ୍ଣ ଏବଂ ଅତ୍ୟନ୍ତ ଅନ୍ୟାୟ ବୋଲି ବର୍ଣ୍ଣନା କରାଯାଇଥିଲା ।
ଜଷ୍ଟିସ୍ ଏ. ଏସ୍. ଓକା, ଆହସାନୁଦ୍ଦିନ ଅମାନୁଲ୍ଲାହ ଏବଂ ଅଗଷ୍ଟିନ ଜର୍ଜ ମାସିହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, “ଯଦି ୧୯୫୫ ଆଇନର ଧାରା ୧୧ ଅନୁଯାୟୀ ଏକ ବିବାହକୁ ଅସିଦ୍ଧ ଘୋଷଣା କରାଯାଇଛି, ତେବେ ବିବାହର ଯେକୌଣସି ପକ୍ଷ ଆଇନର ଧାରା ୨୫ ଅନୁଯାୟୀ ସ୍ଥାୟୀ ଭରଣପୋଷଣ କିମ୍ବା ଭରଣପୋଷଣ ଦାବି କରିବାର ଅଧିକାର ରଖିଛନ୍ତି ।’
କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ଥାୟୀ ଭରଣପୋଷଣ ପ୍ରଦାନ କରାଯାଇପାରିବ କି ନାହିଁ ତାହା ସର୍ବଦା ମାମଲାର ତଥ୍ୟ ଏବଂ ପକ୍ଷମାନଙ୍କର ଆଚରଣ ଉପରେ ନିର୍ଭର କରିବ । ଧାରା ୨୫ ଅନୁଯାୟୀ ସହାୟତା ପ୍ରଦାନ ସର୍ବଦା ନ୍ୟାୟିକ ବିବେଚନା ଉପରେ ନିର୍ଭର କରେ ।
ହିନ୍ଦୁ ବିବାହ ଆଇନ ଅନୁଯାୟୀ ମଧ୍ୟବର୍ତ୍ତୀକାଳୀନ ଭରଣପୋଷଣ ପ୍ରଶ୍ନ ଉପରେ ରାୟରେ କୁହାଯାଇଛି, “ଯଦିଓ କୌଣସି କୋର୍ଟ ଉଭୟଙ୍କ ବିବାହକୁ ଅସିଦ୍ଧ କିମ୍ବା ରଦ୍ଦ କରିବା ଯୋଗ୍ୟ ବୋଲି ବିଚାର କରନ୍ତି, ତଥାପି କୋର୍ଟ ଚାଲିଥିବା ମାମଲାର ଚୂଡ଼ାନ୍ତ ସମାଧାନ ପର୍ଯ୍ୟନ୍ତ ୧୯୫୫ ଆଇନ ଅନୁଯାୟୀ ମଧ୍ୟବର୍ତ୍ତୀକାଳୀନ ଭରଣପୋଷଣ ପ୍ରଦାନ କରିପାରିବେ ।’
ଏହା ମଧ୍ୟ କୁହାଯାଇଛି ଯେ ଧାରା ୨୪ ଅନୁଯାୟୀ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ନିଷ୍ପତ୍ତି ନେବା ସମୟରେ, କୋର୍ଟ ସର୍ବଦା ଆଶ୍ୱସ୍ତି ଚାହୁଁଥିବା ପକ୍ଷର ଆଚରଣକୁ ଧ୍ୟାନ ଦେବେ । କାରଣ ଆଶ୍ୱସ୍ତି ଦେବା ସର୍ବଦା ନ୍ୟାୟିକ ବିବେଚନା ଉପରେ ନିର୍ଭର କରେ ।
ଅବୈଧ ପତ୍ନୀ ଭଳି ଶବ୍ଦ ବ୍ୟବହାର ଉପରେ ଆପତ୍ତି ଉଠାଇ ସୁପ୍ରିମକୋର୍ଟ କହିଛନ୍ତି, “ବିବାହ ଅବୈଧ ଘୋଷଣା ହେଲେ ମଧ୍ୟ ପତ୍ନୀଙ୍କୁ ଅବୈଧ କହିବା ଅତ୍ୟନ୍ତ ଅନୁଚିତ । ଏହା ସମ୍ପୃକ୍ତ ମହିଳାଙ୍କ ମର୍ଯ୍ୟାଦାକୁ ପ୍ରଭାବିତ କରେ । ଦୁର୍ଭାଗ୍ୟବଶତଃ ବମ୍ବେ ହାଇକୋର୍ଟ ‘ଅବୈଧ ପତ୍ନୀ’ ଭଳି ଶବ୍ଦ ବ୍ୟବହାର କରିଥିଲେ ।’