ନୂଆଦିଲ୍ଲୀ: ପାଖେଇ ପାଖେଇ ଆସୁଛି ଏସିଆ କପ୍ ୨୦୨୫। ଆଉ ମାତ୍ର କେଇ ଦିନର ଅପେକ୍ଷା। ସେପ୍ଚେମ୍ୱର ୯ ତାରିଖରୁ ଆରମ୍ଭ ହୋଇଯିବ ଏସିଆ କପ୍ ଲଢେଇ। ଆଉ ଏହାରି ଭିତରେ ମ୍ୟାଚ୍ ପାଇଁ ସମସ୍ତ ୮ଟି ଦଳର ଘୋଷଣା ସରିଛି। କେବଳ ମ୍ୟାଚକୁ ଅପେକ୍ଷା।
ହେଲେ ଅଧିକାଂଶ କ୍ରିକେଟପ୍ରେମୀ ଇଣ୍ଡିଆ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ କୁ ଅପେକ୍ଷା କରି ରହିଛନ୍ତି। ଯାହାକି ଅପରେସନ୍ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଖେଳାଯିବ।
ଏସିଆ କପ୍: ଭାରତକୁ ଏସିଆ କପ୍ ୨୦୨୫ର ଆୟୋଜନ କରିବାର ଅଧିକାର ମିଳିଛି। କିନ୍ତୁ ଅପରେସନ୍ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ଉତ୍ତେଜନା ଯୋଗୁଁ ଏହା ଏକ ନିରପେକ୍ଷ ସ୍ଥାନରେ (UAE) ଅନୁଷ୍ଠିତ ହେବ।
T20 ବିଶ୍ୱକପ୍ ୨୦୨୬କୁ ଧ୍ୟାନରେ ରଖି ଏଥର ଏସିଆ କପ୍ ୨୦୨୫ T20 ଫର୍ମାଟରେ ଖେଳାଯିବ ଏବଂ ଏଥିରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ। ଏଥିରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ହଂକଂ, UAE ଏବଂ ଓମାନ ଦଳ ଅନ୍ତର୍ଭୁକ୍ତ ଅଛନ୍ତି।
ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ: ଏସିଆ କପ୍ ୨୦୨୫ ପାଇଁ ସବୁ ଦଳକୁ ଚାରି ଜଣ ଲେଖାଏଁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ବର୍ତ୍ତମାନ ସବୁ ଦଳ ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ସେମାନଙ୍କର ଦଳ ଘୋଷଣା କରିଛନ୍ତି।
ସୂର୍ଯ୍ୟକୁମାର ଯାଦବ ଏସିଆ କପ୍ ୨୦୨୫ ପାଇଁ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି। ଶୁଭମନ ଗିଲଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଘରୋଇ କ୍ରିକେଟ୍ ଏବଂ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଅନେକ ଷ୍ଟାର ଖେଳାଳିଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିଛି। ଏହା ବ୍ୟତୀତ ଜସପ୍ରିତ ବୁମରାହଙ୍କ ପରି ଷ୍ଟାର ବୋଲର ମଧ୍ୟ ଟି-୨୦ରେ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ଏସିଆ କପ୍ ପାଇଁ ଭାରତୀୟ ଟିମ୍:
ଭାରତ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମନ ଗିଲ, ଅଭିଷେକ ଶର୍ମା, ତିଲକ ଭର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଜିତେଶ ଶର୍ମା, ଅକ୍ଷର ପଟେଲ, ଜସପ୍ରୀତ ବୁମରାହ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ସଞ୍ଜୁ ସାମସନ, ହର୍ଷିତ ରାଣା, ରିଙ୍କୁ ସିଂ।