fbpx

ଦଇବ ଦାଉ: ଆଜି ହୋଇଥାନ୍ତା ବାହାଘର, ଘରୁ ଉଠିଲା ପୁଅର କୋକେଇ

ଭଦ୍ରକ(ଓଡ଼ିଶା ଭାସ୍କର): ଘରର ଥିଲା ସେ ‘ମଣି’ । ଚନ୍ଦ୍ର ପରି ହସହସ ମୁହଁ । ମାତ୍ର ୨୮ବର୍ଷର ଭେଣ୍ଡାପୁଅ । ତା’ ବାହାଘର ପାଇଁ ଘରେ ଥିଲା ଖୁସିଖୁସିର ପରିିବେଶ। ଖାଲି ସେତିକି ନୁହେଁ, ପୁଅର ବିବାହ ପାଇଁ ଲଗ୍ନଧରା ସରିଥିଲା । ସେହିପରି ସମ୍ପର୍କୀୟଙ୍କ ଦିଆସରିଥିଲା ନିମନ୍ତ୍ର । ବିବାହ କାର୍ଯ୍ୟ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ମଧ୍ୟ କିଣା ହୋଇଯାଇଥିଲା । ଆଉ ଆଜି ହୋଇଥାନ୍ତା ‘ଶୁଭ ବିବାହ’ । ହେଲେ ଦାଉ ସାଧିଲା ଦଇବ । ମହାମାରୀ କରୋନା ସାରା ପରିବାରକୁ କନ୍ଦାଇ ଦେଲା । ଛଡ଼ାଇ ନେଇଗଲା ‘ଚନ୍ଦ୍ରମଣି’ଙ୍କୁ… ସେପଟେ ଝିଅ ମଧ୍ୟ ମଙ୍ଗୁଳା ହୋଇ ରହିଗଲା । ଦୁଇ ପରିବାରରେ ମାଡ଼ି ବସିଲା କାଳ…

ଏବେ ବାହୁନି ବାହୁନି କାନ୍ଦୁଛି ମା’… ପୁଅ ତୁ ଉଠିଯା’ରେ… ଫେରିଆ’ରେ ଧନ… କିନ୍ତୁ ସବୁଦିନ ପାଇଁ ଚିରନିଦ୍ରାରେ ଚନ୍ଦ୍ରମଣି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅସୁରାଳି ଅଳର ନାଥ ସାହିରେ । ପ୍ରାଣବନ୍ଧୁ ନାଥଙ୍କ ପୁଅ ଚନ୍ଦ୍ରମଣିଙ୍କ ଗତ ୧୧ ତାରିଖରେ ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଥିଲା । ଏଥିପାଇଁ ଲଗ୍ନଧରା ସରିଥିଲା । କିନ୍ତୁ ୩ ଦିନ ପୂର୍ବରୁ ଚନ୍ଦ୍ରମଣିଙ୍କୁ ହଠାତ ଜ୍ୱର ହେବାରୁ ପରିବାର ଲୋକେ ପୁଅର କରୋନା ଟେଷ୍ଟ କରାଇଥିଲେ । ଏଥିରେ ରିପୋର୍ଟ ପଜିଟିଭ୍ ଆସିବା ପରେ ବାଧ୍ୟହୋଇ ବିବାହ କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଥିଲା । ପରବର୍ତ୍ତୀ ତାରିଖ ଜୁନ୍ ୧୮ ଅର୍ଥାତ୍ ଆଜି ପାଇଁ ଧାର୍ଯ୍ୟ କରିଥିଲେ ଉଭୟ ପରିବାର ।

ଅନ୍ୟପକ୍ଷରେ ବିବାହ ଦିନ ପାଖେଇ ଆସିବାକୁ ତାଳଦେଇ ଚନ୍ଦ୍ରମଣିଙ୍କ ସ୍ୱାସ୍ଥ୍ୟମଧ୍ୟ ଭଲ ହେଉଥିଲା । ପରିବାର ଲୋକେ ବିବାହ କାର୍ଯ୍ୟ ପାଇଁ ପୁଣି ଆବଶ୍ୟକ ପ୍ରସ୍ତୁତି ବଢ଼ାଇବାରେ ଲାଗିଲେ । ରୋଷେୟା, ଟେଣ୍ଟ, ବରଗାଡ଼ି ଓ ବର ପାଇଁ ଲୁଗାପଟା କିଣା ଆଦି ସରିଗଲା । ଘର ଆଗରେ ବାଉଁଶ ଆଣି ରଖିଦେଇଗଲା ଟେଣ୍ଟ ବାଲା । ହେଲେ ହଠାତ ଚନ୍ଦ୍ରମଣିଙ୍କ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ । ଘରକୁ ଡାକ୍ତର ଆସି ଦେଖିଲେ ତାଙ୍କ ଅକ୍ସିଜେନ ଲେବୁଲ କମି ଯାଉଛି । ତେଣୁ ତୁରନ୍ତ ମେଡିକାଲ ନେବା ପାଇଁ ପ୍ରସ୍ତୁତ ହୋଇଗଲେ ପରିବାର ଲୋକେ । କିନ୍ତୁ ସହିଲାନି ବିଧାତା! ହଠାତ୍ ଆଖି ବୁଜିଦେଲେ ଚନ୍ଦ୍ରମଣି । ମା’-ବାପାଙ୍କ ପାଦତଳୁ ଯେମିତି ମାଟି ଖସିଗଲା । ପଡ଼ିଗଲା କାନ୍ଦ ବୋବାଳି । ପୁଅ ସଜେଇ ହୋଇଥାନ୍ତା ବର ବେଶରେ… ବାହାଘର ହୋଇଥାନ୍ତା ଆଉ ଘରକୁ ଆସିଥାନ୍ତା ନୂଆବୋହୂ… ହେଲେ ହଠାତ୍ ଶବ ପାଲଟି ଯିବା ପରେ କୋହ ସମ୍ଭାଳି ପାରୁନାହାନ୍ତି ମା’ ଆଉ ସମସ୍ତେ ଝରାଉଛନ୍ତି ଲୁହ ।

ସେପଟେ ଶବ ସକ୍ରାର ପାଇଁ ଗାଁଲୋକେ କେହି ଆସିଲେ ନାହିଁ । ସରପଞ୍ଚ, ବ୍ଲକ ପ୍ରଶାସନ ଓ ମେଡିକାଲ କର୍ମଚାରୀଙ୍କ ସହଯୋଗରେ ଶବ ସକ୍ରାର କରାଗଲା । କିନ୍ତୁ ଏଭଳି ଦୁଃଖଦ ଘଟଣାକୁ ନେଇ ସମଗ୍ର ଭଦ୍ରକ ଜିଲ୍ଲାରେ ଶୋକ ଖେଳିଯାଇଛି ।

Get real time updates directly on you device, subscribe now.