ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଢେଙ୍କାନାଳ ସ୍ଥିତ ଇଣ୍ଡିଆନ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମାସ କମ୍ୟୁନିକେସନ (ଆଇଆଇଏମସି)ରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରି ଆସୁଥିବା କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଦୀର୍ଘ ୨୦ ବର୍ଷରୁ ଅଧିକ ବର୍ଷ ଧରି ଠିକାରେ କାର୍ଯ୍ୟ କରି ଆସୁଥିବା କର୍ମଚାରୀଙ୍କର ଚାକିରି ଏବେ ରେଗୁଲାର ହେବ ।
ସୂଚନା ମୁତାବକ, ଆଇଆଇଏମସି, ଢେଙ୍କାନାଳରେ ଅନେକ କର୍ମଚାରୀ ଠିକାରେ ବର୍ଷ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ । ସେମାନେ ଚାକିରି ନିୟମିତ କରିବା ନେଇ ଅନେକ ଥର ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ ହେଁ ତାହା ଖାରଜ ହୋଇଯାଇଥିଲା । ଫଳରେ ସମୋନେ କ୍ୟାଟରେ ମାମଲା ଦାୟର କରିଥିଲେ । ତେବେ ଗତ ଜୁଲାଇ ୧୩ ତାରିଖରେ ଆବେଦନକାରୀଙ୍କୁ ସେମାନଙ୍କର ନିଯୁକ୍ତି ଦିନଠାରୁ ନିୟମିତ କରିବା ସହ ସମସ୍ତ ବକେୟା ଦେବାକୁ କ୍ୟାଟ ନିର୍ଦ୍ଦେଶ ଦେଇଥିଲେ ।
ତେବେ କ୍ୟାଟଙ୍କ ଆଦେଶ ବିରୋଧରେ କେନ୍ଦ୍ର ସରକାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏବେ ହାଇକୋର୍ଟ ଉକ୍ତ ମାମଲାର ଶୁଣାଣି କରି କ୍ୟାଟଙ୍କ ନିଷ୍ପତ୍ତିକୁ କାଏମ୍ ରଖିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ରିଟ୍ ଅପିଲ୍ ଖାରଜ ହୋଇଯାଇଛି । ଫଳରେ କର୍ମଚାରୀମାନେ ଯେବେଠାରୁ କାର୍ଯ୍ୟ କରି ଆସୁଛନ୍ତି ସେଠାରୁ ସେମାନଙ୍କୁ ନିୟମିତ ଭାବେ ଗ୍ରହଣ କରାଯିବ । ଏଥିସହିତ ସେହି ହିସାବରେ ସେମାନଙ୍କୁ ବକେୟା ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।