ଆକ୍ଟିଭ୍ ମୋଡ଼କୁ ଆସିଲା ରେଳ ବିଭାଗ: ସାରା ଦେଶର ସିଗନାଲିଂ ସିଷ୍ଟମର ଅଡିଟ୍ ହେବ, ସମସ୍ତ ମହାପ୍ରବନ୍ଧକଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖ ସନ୍ଧ୍ୟାରେ ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିବା ସହିତ ୧୦୦୦ରୁ ଅଧିକ ଆହତ ହୋଇଥିବା ସରକାରୀ ଭାବେ ରିପୋର୍ଟ ଦିଆଯାଇଛି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ବୋଲି ବେସରକାରୀ ଭାବେ କୁହାଯାଉଛି । ଏହି ଦୁର୍ଘଟଣାକୁ ନେଇ ସାରା ବିଶ୍ୱରେ ହଲଚଲ ମଚିଯାଇଥିବା ବେଳେ ଇଣ୍ଟରଲକିଂ କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।
ବାଲେଶ୍ୱର ଟ୍ରେନ ଦୁର୍ଘଟଣାର ତଦନ୍ତ ସିବିଆଇକୁ ଦିଆଯାଇଛି । ସୁରକ୍ଷା ‘କବଚ’ ଲାଗିଥିଲେ ଏତେବଡ଼ ଦୁର୍ଘଟଣାକୁ ଏଡ଼ାଇ ଯାଇ ପାରିଥାନ୍ତା ବୋଲି ଅନେକ ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ତେବେ ବାହାନଗା ଦୁର୍ଘଟଣା ପରେ ରେଳ ବିଭାଗ ଆକ୍ଟିଭ୍ ମୋଡ଼କୁ ଆସିଯାଇଛି । ସାରା ଦେଶର ସିଗନାଲିଂ ସିଷ୍ଟମର ଅଡିଟ କରିବାକୁ ରେଳ ବିଭାଗ ନିଷ୍ପତ୍ତି ନେଇଛି । ଆସନ୍ତା ୧୪ ତାରିଖ ସୁଦ୍ଧା ଯାଞ୍ଚ କରି ରିପୋର୍ଟ ପ୍ରଦାନ କରିବାକୁ ରେଳ ବିଭାଗ ପକ୍ଷରୁ ସମସ୍ତ ମହାପ୍ରବନ୍ଧକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରେଳ ଷ୍ଟେସନଗୁଡ଼ିକରେ ଲାଗିଥିବା ହାଉସିଂ ସିଗନାଲିଂ ଉପକରଣର ଯାଞ୍ଚ ବୋ ଜରୁରୀ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ରେଲୱେ ବୋର୍ଡ ପକ୍ଷରୁ କୁହାଯାଇଛି, ଷ୍ଟେସନମାନଙ୍କରେ ଥିବା ସମସ୍ତ ରିଲେ ରୁମର ଯାଞ୍ଚ ହେବା ଜରୁରୀ । ଡବଲି ଲକିଂ ବ୍ୟବସ୍ଥାର ସଠିକ୍ କାର୍ଯ୍ୟକାରିତା ନେଇ ସୁନିଶ୍ଚିତ ହେବା ଜରୁରୀ । ଏଥିସହିତ ରିଲେ ରୁମର କବାଟ ଖୋଲିବା ଓ ବନ୍ଦ କରିବା ପାଇଁ ଡାଟା ଲକିଂ, ଏସଏମଏସ ଆଲର୍ଟ କାମ କରୁଛି କି ନା ସେନେଇ ମଧ୍ୟ ସୁନିଶ୍ଚିତ ହେବା ଦରକାର । ଷ୍ଟେସନ ସୀମା ଭିତରେ ସିଗନାଲିଂ ଉପକରଣର ସମସ୍ତ ଗୁମଟୀ ଉପରେ ବିଶେଷ ଧ୍ୟାନ ଦିଆଯିବା ସହିତ ସୁରକ୍ଷା ଅଭିଯାନ ତ୍ୱରିତ ଭାବେ ଆରମ୍ଭ କରାଯିବା ଦରକାର ।