fbpx

ବଦଳିବ ସେନାରେ ନିଯୁକ୍ତିର ନିୟମ, ୪ ବର୍ଷର ଚାକିରି ପରେ ବାହାର ହେବେ ସବୁ ସୈନିକ

ନୂଆଦିଲ୍ଲୀ: ଟୁର ଅଫ ଯୋଜନା ଅନ୍ତର୍ଗତ ଦେଶର ତିନି ସେନାର ନିଯୁକ୍ତି ପ୍ରଣାଳୀ ବଦଳିବ। ନିଯୁକ୍ତିରେ ଆମୂଳ ଚୁଳ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହା ଅନୁଯାୟୀ ନିଯୁକ୍ତ ହୋଇଥିବା ସୈନିକଙ୍କ ମଧ୍ୟରୁ ୧୦୦ ପ୍ରତିଶତଙ୍କୁ ଚାରି ବର୍ଷ ପରେ ଅବସର ଦିଆଯିବ। ଏହା ପରେ ସେଥି ମଧ୍ୟରୁ ପୁଣି ୨୫ ପ୍ରତିଶତଙ୍କୁ ପୂର୍ଣ୍ଣ ସେବା ପାଇଁ ସୂଚୀବଦ୍ଧ କରାଯିବ।

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଟୁର ଅଫ ଡ୍ୟୁଟିର ଅନ୍ତିମ ରୂପ ରେଖା ଉପରେ ଖୁବ୍ ବିଚାର ବିମର୍ଶ କରାଯାଇଛି। ଆଉ କିଛି ନୂତନ ପ୍ରସ୍ତାବ ଦିଆଯାଇଛି, ଯାହାକୁ ସ୍ଵୀକାର କରାଯିବାର ସମ୍ଭାବନା ଅଧିକ ରହିଛି। କାରଣ ନୂତନ ଭର୍ତ୍ତି ଯୋଜନାର ଘୋଷଣା ଏବେ କୌଣସି ମୁହୂର୍ତ୍ତରେ ହୋଇପାରେ।
ପ୍ରାରମ୍ଭରେ ଏମିତି କିଛି ପ୍ରସ୍ତାବ ଦିଆଯାଇଥିଲା ଯେ, କିଛି ପ୍ରତିଶତ ସୈନିକଙ୍କୁ ପ୍ରଶିକ୍ଷଣ ସହିତ ତିନି ବର୍ଷର ସେବା ପରେ ଅବସର ଦିଆଯିବ। ଆଉ କିଛିକୁ ପାଞ୍ଚ ବର୍ଷର ସେବା ପରେ କଢାଯିବ।

କେବଳ ୨୫ ପ୍ରତିଶତଙ୍କୁ ପୂର୍ଣ୍ଣ ଅବଧି ପାଇଁ ରଖାଯିବ। ତେବେ ନୂତନ ପ୍ରସ୍ତାବରେ କିଛିଟା ପରିବର୍ତ୍ତନ କରାଯାଇଛି। ଚାରି ବର୍ଷର ଚାକିରି ପୂରା ହେବା ପରେ ସମସ୍ତଙ୍କୁ ଅବସର ଦିଆଯିବ। କିନ୍ତୁ ଅବସର ଦେବାର ୩୦ ଦିନ ଭିତରେ ସେଥି ମଧ୍ୟରୁ ୨୫ ପ୍ରତିଶତ ସୈନିକଙ୍କୁ ପୂର୍ଣ୍ଣ ଅବଧି ପାଇଁ ନିଯୁକ୍ତ କରାଯିବ। ସେମାନଙ୍କୁ ସେନାରେ ଯୋଗ ଦେବା ପାଇଁ ଏକ ନୂତନ ତାରିଖ ଦିଆଯିବ। ସେମାନଙ୍କର ଗତ ଚାରି ବର୍ଷର ସେବାର ବେତନ ଏବଂ ପେନସନ ନିର୍ଦ୍ଧାରଣ ପାଇଁ ପୂର୍ଣ୍ଣକାଳୀନ ସେବା ସହ ଯୋଡା ଯିବ ନାହିଁ। ଏମିତିରେ ସରକାରଙ୍କ ମୋଟା ଅଙ୍କର ଅର୍ଥ ବଞ୍ଚିଯିବାର ଆଶା କରାଯାଉଛି।

ସେନାରେ ପ୍ରାୟ ଦୁଇ ବର୍ଷ ହେବ ଭର୍ତ୍ତି ହୋଇନଥିବା କାରଣରୁ ସେହି ଅଞ୍ଚଳର ଯୁବ ବର୍ଗ ବହୁତ ଚିନ୍ତିତ ଯିଏ ପାରମ୍ପରିକ ନିଯୁକ୍ତି ପାଇଁ ପ୍ରସ୍ତୁତି କରିଛନ୍ତି। ନିଯୁକ୍ତିରେ ବିଳମ୍ବକୁ ନେଇ ହରିୟାଣା ସହିତ ପଞ୍ଜାବରେ ଖୁବ୍ ବିରୋଧ ପ୍ରଦର୍ଶନ ହୋଇଛି। ଯୁବକଙ୍କ ମନରେ ଏହି ଡର ରହିଛି ଯେ, ସରକାର ନିଯୁକ୍ତିରେ ବିଳମ୍ବ କଲେ ସେତେବେଳକୁ ସେମାନଙ୍କର ବୟସ ଅଧିକ ହୋଇ ଯାଇଥିବ ଏବଂ ତାଙ୍କୁ ସେନାରେ ଭର୍ତ୍ତି ପାଇଁ ସୁଯୋଗ ମିଳିବନି। ହରିୟାଣାରେ ସେନାରେ ଭର୍ତ୍ତି ହୋଇନପାରିବା ଏବଂ ବୟସ ଅଧିକ ହେବା କାରଣରୁ ବିସାରେ ଯୁବକଙ୍କ ଆତ୍ମହତ୍ୟା ମାମଲା ମଧ୍ୟ ସାମ୍ନାକୁ ଆସିଛି।

 

Get real time updates directly on you device, subscribe now.