fbpx

ଟ୍ରକ୍ ଡ୍ରାଇଭରମାନଙ୍କୁ ବି ମିଳିବ AC ପବନ: କ୍ୟାବିନରେ ଏସି ଲଗାଇବା ବାଧ୍ୟତାମୂଳକ , ନିଷ୍ପତ୍ତି ଉପରେ ଲାଗିଲା ମୋହର

ନୂଆଦିଲ୍ଲୀ: ୨୦୨୫ ମସିହାରୁ ସମସ୍ତ ଟ୍ରକର କ୍ୟାବିନରେ ଏୟାର କଣ୍ଡିସନର ଲଗାଇବା ବାଧ୍ୟତାମୂଳକ ହେବ, ଯାହା ଫଳରେ ଦୈନିକ ୧୧-୧୨ ଘଣ୍ଟା ଗାଡ଼ି ଚଳାଉଥିବା ଟ୍ରକ ଚାଳକଙ୍କୁ ବିଶ୍ରାମ ମିଳିପାରିବ। ଟ୍ରକ ଡ୍ରାଇଭର ଅନେକ ସମୟରେ କଠିନ ପରିସ୍ଥିତିରେ କାମ କରିବା କାରଣରୁ ଥକି ଯାଇଥାନ୍ତି ଏବଂ ଗୋଟିଏ ସ୍ଥାନରେ ବସି ରହି ଦୀର୍ଘ ଦୂରତା ଅତିକ୍ରମ କରିବାକୁ ବାଧ୍ୟ ହୋଇଥାନ୍ତି। ଯେଉଁ କାରଣରୁ ଦୈନିକ ଟ୍ରକ୍ ଦୁର୍ଘଟଣା ଭଳି ଘଟଣା ଦେଖିବାକୁ ମିଳିଥାଏ।

ଜୁନ ୧୯ ତାରିଖ ସୋମବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଟ୍ରକ କ୍ୟାବିନ ମଧ୍ୟରେ ବାଧ୍ୟତାମୂଳକ ଭାବରେ ଏସି ଲଗାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ପ୍ରସ୍ତାବ ମାଧ୍ୟମରେ କୁହାଯାଇଛି ଯେ ଶିଳ୍ପକୁ ନବୀକରଣ କରିବା ପାଇଁ ୧୮ ମାସର ଏକ ପରିବର୍ତ୍ତନ ସମୟ ଆବଶ୍ୟକ ରହିଥିଲା।

ସଡକ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସର୍ବପ୍ରଥମେ ଗତ ୨୦୧୬ ବର୍ଷରେ ଏ ସମ୍ପର୍କିତ ପ୍ରସ୍ତାବ ଆଗତ ହୋଇଥିଲା। ଏନେଇ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ‘ଆମ ଦେଶରେ କିଛି ଗାଡ଼ି ଚାଳକ ଦୈନିକ ୧୨ ଘଣ୍ଟା କିମ୍ବା ୧୪ ଘଣ୍ଟା ପାଇଁ ଗାଡି ଚଳାଇଥାନ୍ତି। ମାତ୍ର ଅନ୍ୟ ଦେଶରେ ବସ୍ କିମ୍ବା ଟ୍ରକ୍ ଡ୍ରାଇଭର କେତେ ସମୟ କାମ କରିବେ ସେ ନେଇ ଡ୍ୟୁଟି ଟାଇମ ସ୍ଥିର କରାଯାଇଛି। ଆମର ଡ୍ରାଇଭର ୪୩ ଡିଗ୍ରୀ ଠାରୁ ନେଇ ୪୭ ଡିଗ୍ରୀ ତାପମାତ୍ରାରେ ମଧ୍ୟ ଗାଡି ଚଳାଇଥାନ୍ତି। ଏପରି ପରିସ୍ଥିତିରେ ଆମେ ସେମାନଙ୍କର ଅବସ୍ଥା ବିଷୟରେ ଚିନ୍ତା କରିବା ଆବଶ୍ୟକ।

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ମୁଁ ମନ୍ତ୍ରୀ ହେବା ପରେ ଯାଇ ଏସି କ୍ୟାବିନ୍ ବ୍ୟବସ୍ଥା ପ୍ରଚଳନ କରିବାକୁ ଆଗ୍ରହୀ ରହିଥିଲି। ହେଲେ ଏହା ଦ୍ୱାରା ଖର୍ଚ୍ଚ ବଢିବ ବୋଲି କହି କିଛି ଲୋକ ଏହାକୁ ବିରୋଧ କରିଥିଲେ। ହେଲେ ବର୍ତ୍ତମାନ ମୁଁ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛି। ଯାହା ପରେ ସମସ୍ତ ଟ୍ରକ୍ କ୍ୟାବିନ୍ ମଧ୍ୟରେ ବାଧ୍ୟତାମୂଳକ ଭାବରେ ଏୟାର କଣ୍ଡିସନର ଲଗାଇବାକୁ ହେବ।

ଏନେଇ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ବ୍ୟବସ୍ଥା ଇଚ୍ଛାଧୀନ ହେବା ପାଇଁ ଦାବି ହୋଇଛି। ସେମାନଙ୍କ ମଧ୍ୟରୁ କେତେକ ଦାବି କରି କହିଛନ୍ତି ଯେ ଟ୍ରକ କ୍ୟାବିନ ମଧ୍ୟରେ ଏସି ଲଗାଇବା ଦ୍ୱାରା ଡ୍ରାଇଭର ଶୋଇପଡ଼ିବେ। ବସ୍ ଚାଳକଙ୍କ ବିଷୟରେ ଆମର ସର୍ବଦା ସମାନ ଧାରଣା ରହିଥିଲା। ଡ୍ରାଇଭର କ୍ୟାବିନ ବର୍ଷ ବର୍ଷ ଧରି ଅଣ ଶୀତତାପ ନିୟନ୍ତ୍ରିତ ରହିଥିଲା। ହେଲେ ଭଲଭୋ ବସ୍ ଆସିବା ସହିତ ଏହି ଧାରଣା ସମାପ୍ତ ହୋଇଯାଇଛି। ବର୍ତ୍ତମାନ ସମସ୍ତ ବିଳାସପୂର୍ଣ୍ଣ ବସ୍ ଚଳାଉଥିବା ଚାଳକଙ୍କ ପାଇଁ ଏସି କ୍ୟାବିନ୍ ଉପଲବ୍ଧ ରହିଛି। ଏକ ଆକଳନ ଅନୁଯାୟୀ ଟ୍ରକ କ୍ୟାବିନ ମଧ୍ୟରେ ଏସି ଲଗାଇବା ପାଇଁ ଅତିରିକ୍ତ ୧୦ ହଜାରରୁ ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇପାରେ।

Get real time updates directly on you device, subscribe now.