ବିଜେଡି ଷଡଯନ୍ତ୍ରର ପର୍ଦ୍ଦାଫାସ, ପ୍ରଦୀପଙ୍କ ବିରୋଧରେ ହୋଇଥିବା ଠକେଇ ମାମଲାରୁ ଓହରିଲେ ଏତଲାକାରୀ

ଭୁବନେଶ୍ୱର- ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଖୁସି ଖବର । ତାଙ୍କ ବିରୋଧରେ ହୋଇଥିବା ଚାକିରି ଠକେଇ ମାମଲାରେ ୩ ଏତଲାକାରୀ ଓହରିଯାଇଛନ୍ତି । ଆଜି ବ୍ରହ୍ମପୁର ଜେଏମଏଫସି କୋର୍ଟରେ ନିଜ ଏତଲା ଉଠାଇ ନେବା ସହ ପ୍ରଦୀପଙ୍କୁ ଦେଇଛନ୍ତି କ୍ଲିନ ଚିଟ।
୨୦୨୦ ମସିହାରେ ତକ୍ରାଳୀନ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୫ ଜଣ ବ୍ୟକ୍ତି ଠକେଇ ଅଭିଯୋଗ ଆଣିଥିଲେ । କିନ୍ତୁ ଆଜି ୩ ଜଣ ଅଭିଯୋଗକାରୀ ସେମାନଙ୍କ ଅଭିଯୋଗ ଫେରାଇ ନେଇଛନ୍ତି । ଏହି ଅଭିଯୋଗକାରୀ କହିଛନ୍ତି, ପ୍ରଦୀପଙ୍କ ବିରୋଧରେ ଏତଲା ଦେବାକୁ ସେମାନଙ୍କୁ ବାଧ୍ୟ କରାଯାଇଥିଲା । ଏହା ପୂର୍ବରୁ ମଧ୍ୟ ଦୁଇ ଜଣ ଏତଲାକାରୀ ସେମାନଙ୍କ ଏତଲା ଉଠାଇ ନେଇଥିଲେ ଓ ସମାନ କଥା କହିଥିଲେ ।

ଏଠାରେ କହି ରଖୁ କି, ପ୍ରଦୀପଙ୍କ ବିରୋଧରେ କରୋନା କାଳରେ ଅଭିଯୋଗ ଆସିଥିଲା କି, ତାଙ୍କ ଭାବି ଜ୍ୱାଇଁ ଆକାଶ ପାଠକଙ୍କ ସହାୟତାରେ ସେ ଟାଟା କମ୍ପାନୀରେ ଚାକିରି କରାଇଦେବାକୁ କହି ଟଙ୍କା ନେଇଥିଲେ । ଏହି ଏତଲା ଆସିବା ଆଗରୁ ହିଁ ପ୍ରଦୀପଙ୍କୁ ଦଳର ସଭାପତି ତାଙ୍କ ଜନବିରୋଧୀ କାମ କରିବା ଅଭିଯୋଗରେ ଦଳରୁ ବହିଷ୍କୃତ କରିଦେଇଥିଲେ । ଏହା ପରେ ପ୍ରଦୀପଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଥିଲା । ଏହି ମିଛ ମାମଲାରେ ପ୍ରଦୀପ ୧୦ ମାସ ଜେଲରେ ରହିଥିଲେ ମଧ୍ୟ । ସେହି ସମୟରେ ପ୍ରଦୀପ ମଧ୍ୟ ବାରମ୍ବାର କହିଥିଲେ, ସେ ସେମିତି କିଛି କରି ନାହାନ୍ତି ।

ଏବେ ପ୍ରଦୀପଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଗୋଟିଏ ପରେ ଗୋଟିଏ ଉଠାଇନେବା ପରେ ପ୍ରଦୀପ କହୁଥିବା ସତ ବୋଲି ଜଣାପଡୁଛି । ତକ୍ରାଳୀନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା କ୍ଷମତା କେନ୍ଦ୍ର କୁହାଯାଉଥିବା ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ସହ ପ୍ରଦୀପଙ୍କର ନ ପଡିବାରୁ ତଥା ପ୍ରଦୀପ ସରକାରରେ ହେଉଥିବା ଦୁର୍ନୀତି ବିରୋଧରେ ମୁହଁ ଖୋଲିବାରୁ ତାଙ୍କ ବିରୋଧରେ ଷଡଯନ୍ତ୍ର ହୋଇଥିବା ନେଇ ଅଭିଯୋଗ ଆଣିଥିଲେ ପ୍ରଦୀପ ।