fbpx

ମନ୍ଦିର ମେଳାରେ ଦୋକାନ ଖୋଲିବାକୁ ମୁସଲିମଙ୍କୁ ନାହିଁ ଅନୁମତି, ରାଜ୍ୟ ସରକାରକୁ କଂଗ୍ରେସର ଟାର୍ଗେଟ୍

ବେଙ୍ଗାଲୁରୁ : କର୍ଣ୍ଣାଟକର ମେଙ୍ଗାଲୁରୁରୁ ଏକ ଆଚମ୍ବିତ ଘଟଣା ସାମ୍ନାକୁ ଆସିଛି। ଏଠାକାର ବପ୍ପନାଡୁ ଦୁର୍ଗାପରମେଶ୍ଵରୀ ମନ୍ଦିରର ବାର୍ଷିକ ମେଳାରେ ମୁସଲିମ ବ୍ୟବସାୟୀଙ୍କୁ ଷ୍ଟଲ୍ ଖୋଲିବା ଉପରେ କଟକଣା ଲଗାଯାଇଛି। ଏହି ଘଟଣାକୁ ରାଜ୍ୟରେ ନିନ୍ଦା କରାଯାଇଛି। ଏହି ଘଟଣା ପରେ କର୍ଣ୍ଣାଟକ କଂଗ୍ରେସ ନେତା ୟୁଟି ଖାଦର ବୁଧବାର ବିଜେପି ନେତୃତ୍ଵାଧୀନ ରାଜ୍ୟ ସରକାରଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ସେ କହିଛନ୍ତି, ବିଜେପି ସରକାର ଏହି ପ୍ରସଙ୍ଗରେ ନିରବଦ୍ରଷ୍ଟା ସାଜିଛି। ଭାରତ ବିବିଧତାର ଦେଶ ଏବଂ ଏହିପରି ଘଟଣା ଭାଇଚାରାକୁ ନଷ୍ଟ କରିବା ସହିତ ଦେଶର ଅଖଣ୍ଡତାକୁ ଭାଙ୍ଗିଥାଏ। ଦେଶରେ ସବୁ ଧର୍ମର ଲୋକେ ଏକାଠି ରହିଥାନ୍ତି। କିନ୍ତୁ କିଛି ଲୋକ ଧର୍ମ ମଧ୍ୟରେ ବିଭାଜନ ସୃଷ୍ଟି କରିଥାନ୍ତି। ଖାଦର କହିଛନ୍ତି ଯେ, ନିହିତ ସ୍ଵାର୍ଥ ରଖୁଥିବା କିଛି ଲୋକ କର୍ଣ୍ଣାଟକ ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ଧରଣର ଘୃଣିତ କାମ କରୁଛନ୍ତି। ସମାଜରେ ଅଶାନ୍ତି ଏବଂ ଘୃଣା ସୃଷ୍ଟି କରୁଛନ୍ତି।

ତେବେ କର୍ଣ୍ଣାଟକର ଆଇନ ମନ୍ତ୍ରୀ ଜେସି ମଧୁସ୍ଵାମୀ କହିଛନ୍ତି, ରାଜ୍ୟ ସରକାର ଏହି ଧରଣର କାମକୁ ପ୍ରୋତ୍ସାହନ ଦିଅନ୍ତି ନାହିଁ। ମୁଁ ଆଶ୍ଵାସନ ଦେଉଛି ଯେ, ଏହି ଧରଣର ଉପଦ୍ରବୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ। ସରକାର ମନ୍ଦିରର ମେଳାରେ ମୁସଲିମଙ୍କ ଉପରେ କୌଣସି ପ୍ରକାରର କଟକଣାକୁ ପ୍ରୋତ୍ସାହିତ କରୁ ନାହାନ୍ତି। ପରିସର ବାହାରେ ଏହି ସଂପର୍କିତ ବ୍ୟାନର ଲଗାଇଥିବା ଲୋକଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Get real time updates directly on you device, subscribe now.