ଭୁବନେଶ୍ୱର,୨୭ା୩: ରାଜ୍ୟ ସରକାର ଆଉ ୮ ସହରରେ ‘ଆମ ବସ୍’ ଗଡ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ୱର ଏବଂ ରାୟଗଡ଼ା ସହରର ଲୋକଙ୍କୁ ଏହି ବସ୍ ସେବା ଯୋଗାଇ ଦିଆଯିବ ବୋଲି କ୍ରୁଟର ଗୁରୁତ୍ୱପୂର୍ଣ୍ଣ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଦୁର୍ଘଟଣା ରୋକିବାକୁ ମଧ୍ୟ ପଦକ୍ଷେପ ନିଆଯାଇଛି । ଦ୍ରୁତ ଗାଡ଼ିଚାଳନା ଉପରେ ଅଙ୍କୁଶ ଲଗାଯାଇଛି । ଇଲେକ୍ଟି୍ର ବସର ବେଗ ଘଣ୍ଟା ପ୍ରତି ୩୫ କିଲୋମିଟର ରଖାଯାଇଥିବା ବେଳେ ଡିଜେଲ ବସର ଘଣ୍ଟା ପ୍ରତି ବେଗ ୪୦ କିଲୋମିଟର ରଖାଯାଇଛି । ଏଥିସହିତ ସୁରକ୍ଷିତ ଡ୍ରାଇଭିଂ ନେଇ ପ୍ରଶିକ୍ଷଣ ମଧ୍ୟ ଦିଆଯିବ ।
କାରଣ ଅଧିକାଂଶ ସମୟରେ ଆମ ବସର ଡ୍ରାଇଭରମାନେ ଦୁର୍ଘଟଣା ଘଟାଉଥିବା ଅନେକ ଅଭିଯୋଗ ଆସୁଛି । ଏହାକୁ ପ୍ରତିହତ କରିବା ପାଇଁ ଡ୍ରାଇଭରଙ୍କୁ ଉପଯୁକ୍ତ ତାଲିମ ଦିଆଯାଇ ପରେ ନିଯୁକ୍ତି ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।