ଜୁଲାଇ 3ରୁ ଅମରନାଥ ଯାତ୍ରା ଆରମ୍ଭ, ଶ୍ରଦ୍ଧାଳୁଙ୍କ ପାଇଁ ଆସିଲା ଗାଇଡଲାଇନ୍
: ଚଳିତ ବର୍ଷ ଅମରନାଥ ଯାତ୍ରା ଜୁଲାଇ 3 ରୁ ଆରମ୍ଭ ହେବାକୁ ଯାଉଛି । ଏହା ଅଗଷ୍ଟ 9 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏନେଇ ଜାମ୍ମୁରେ ଜୋରସୋରରେ ଚାଲିଛି ପ୍ରସ୍ତୁତି ।
ଶ୍ରୀନଗର: ଜୁଲାଇ 3ରୁ ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା । ଏନେଇ ଜାମ୍ମୁରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ସୁରକ୍ଷା ପାଇଁ CRPF ଏବଂ ଜାମ୍ମୁ ପୋଲିସ ନିୟୋଜିତ ହୋଇଛନ୍ତି । ଯାତ୍ରୀଙ୍କ ବେସ୍ କ୍ୟାମ୍ପରେ ସୁବିଧାଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।
ଚଳିତ ବର୍ଷ ଅମରନାଥ ଯାତ୍ରା ଜୁଲାଇ 3 ରୁ 9 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ଭବ୍ୟ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଲାଣି । ଯାତ୍ରୀଙ୍କ ସୁଖମୟ ଯାତ୍ରା ଅନୁଭୂତି ପାଇଁ ରାସ୍ତାଘାଟ ନବୀକରଣ କାର୍ଯ୍ୟ ମଧ୍ୟ ଚାଲୁ ରହିଛି । ଏହା ସହିତ ସୁରକ୍ଷିତ ଏବଂ ଶାନ୍ତିପୂର୍ଣ୍ଣ ଯାତ୍ରା ନିମନ୍ତେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । CRPFର ଡାଇରେକ୍ଟର ଜେନେରାଲ ରବିବାର ଦିନ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ପାଇଁ ଭଗବତୀ ନଗର କ୍ୟାମ୍ପରେ ପହଞ୍ଚିଥିଲେ । ପାରା ମିଲିଟାରୀ ପୋଲିସ୍ ଫୋର୍ସ ମଧ୍ୟ ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା ପାଇଁ ମୁତୟନ କରାଯାଇଛି ।
ଦେଶ ଏବଂ ବିଦେଶରୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ଏକ ନିରାପଦ, ସମ୍ମାନଜନକ ଏବଂ ସୁବିଧାଜନକ ଅନୁଭୂତି ପ୍ରଦାନ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି।
ଶିବିରର ପ୍ରତ୍ୟେକ କୋଣ ଝଲସିବ
ଯାତ୍ରା ପୂର୍ବରୁ ଶିବିରର ପ୍ରତ୍ୟେକ କୋଣକୁ ଚମକାଯାଉଛି। ରଙ୍ଗ କରାଯିବା ସହ କୋଠାଗୁଡ଼ିକର ମରାମତି କରାଯାଉଛି । ଏଠାରେ ରହିବା ବ୍ୟବସ୍ଥା, ଶୌଚାଳୟ, ସ୍ୱଚ୍ଛ ପାଣି, ଚିକିତ୍ସା ସହାୟତା, ମୋବାଇଲ୍ ଶୌଚାଳୟ ଭଳି ସୁବିଧାଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି।
ଉପଯୁକ୍ତ ସେବା ଓ ଆତିଥ୍ୟ ଯୋଗାଇବା ଉପରେ ଗୁରୁତ୍ବ
ଅମରନାଥ ଯାତ୍ରା ପାଇଁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଯୋଗଦେବାକୁ ଯାଉଛନ୍ତି । ଏନେଇ ଶ୍ରୀ ଅମରନାଥ ସ୍ରାଇନ ବୋର୍ଡ ଶ୍ରଦ୍ଧାଳୁଙ୍କ ସୁରକ୍ଷା ତଥା ସମ୍ବେଦନଶୀଳ ହିମାଳୟର ପରିବେଶ ରକ୍ଷା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ।
କ’ଣ କରିବେ ଓ କ’ଣ କରିବେ ନାହିଁ
-ପଞ୍ଜିକରଣ କରିଥିବା ଶ୍ରଦ୍ଧାଳୁ ମାନେ ଯାତ୍ରା ପୂର୍ବରୁ ଜମ୍ମୁ ଓ କାଶ୍ମୀରରେ ଥିବା ଉଦ୍ଦିଷ୍ଟ ସ୍ଥାନରୁ ନିଜର RFID କାର୍ଡ ସଂଗ୍ରହ କରନ୍ତୁ ।
-RFID କାର୍ଡ ସଂଗ୍ରହ କରିବା ପାଇଁ ଆଧାରକାର୍ଡ ବିବରଣୀ ନିଜ ସହିତ ରଖନ୍ତୁ ।
-ନିଜ ସୁରକ୍ଷା ଓ ନିରାପତ୍ତା ପାଇଁ RFID କାର୍ଡ ସର୍ବଦା ବେକରେ ପକାଇ ରଖନ୍ତୁ ।
-ଯଥେଷ୍ଟ ପରିମାଣର ଶୀତବସ୍ତ୍ର ନିଜ ପାଖରେ ରଖନ୍ତୁ, କାରଣ ତାପମାତ୍ରା 5 ଡିଗ୍ରୀରୁ ତଳକୁ ଖସିପାରେ ।
-ପାଗରେ ଅକସ୍ମାତ ପରିବର୍ତ୍ତନ ହେଉଥିବାରୁ ଛତା, ଯୋତା, ବର୍ଷାତି ଆଦି ନିଜ ସହ ରଖନ୍ତୁ ।
-ନିଜ ବସ୍ତ୍ର ଓ ଖାଦ୍ୟକୁ ୱାଟର ପ୍ରୁଫ୍ ବ୍ୟାଗରେ ରଖନ୍ତୁ, ନଚେତ ଓଦା ହେବାର ସମ୍ଭାବନା ରହିଛି ।
-ଜରୁରୀକାଳୀନ ପରିସ୍ଥିତି ପାଇଁ ନିଜ ପକେଟରେ ଏକ କାଗଜରେ ନିଜ ନାମ, ଠିକଣା, ମୋବାଇଲ ନମ୍ବର ଆଦି ଲେଖି ରଖନ୍ତୁ ।
-ପରିଚୟ ପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ନିଜ ସହିତ ରଖନ୍ତୁ ।
-ବିନା ପଞ୍ଜିକରଣରେ ଓ RFID କାର୍ଡ ବିନା କୌଣସି ଶ୍ରଦ୍ଧାଳୁଙ୍କୁ ଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ ।
-ଅଧିକ ଉଚ୍ଚତାରେ ଅସୁସ୍ଥ ଅନୁଭବ କଲେ ଏହାକୁ ଅଣଦେଖା କରନ୍ତୁ ନାହିଁ ।
-ମଦ୍ୟପାନ ଏବଂ ଧୂମପାନରୁ ନିବୃତ ରୁହନ୍ତୁ ।
-ନିର୍ଦ୍ଦେଶ ଦିଆଯାଇଥିବା ସ୍ଥାନରେ ଅଟକନ୍ତୁ ନାହିଁ ।
-ସ୍ଲିପର ଚପଲ ପରିବର୍ତ୍ତେ ଟ୍ରେକିଂ ଜୋତା ବ୍ୟବହାର କରନ୍ତୁ ।
-କୌଣସି ସଟକଟ୍ ରାସ୍ତା ଆପଣାନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ ବିପଦ ସୃ୍ଷ୍ଟି କରିପାରେ ।
-ଅମରନାଥ ଯାତ୍ରା ଯିବା ଏବଂ ଆସିବା ସମୟରେ ସେଠାକାର ପରିବେଶରେ ପ୍ରଦୂଷଣ କରନ୍ତୁ ନାହିଁ ।
-ଏଠାରେ ପ୍ଲାଷ୍ଟିକର ବ୍ୟବହାର ନିଷିଦ୍ଧ । ଏହାର ବ୍ୟବହାର ଦ୍ୱାରା ଆଇନ୍ ଅନୁଯାୟୀ ଦଣ୍ଡ ବିଧାନ କରାଯିବାର ବ୍ୟବସ୍ଥା ରହିଛି ।