ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କିରବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏକାଡେମିକ୍ ଉତ୍କର୍ଷ, ଗୁଣାତ୍ମକ ଗବେଷଣା ପାଇଁ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପ୍ରାପ୍ତି ଦିଗରେ ସମସ୍ୟାର ସମାଧାନ କରିବା ଏହି ସଂଶୋଧନର ଲକ୍ଷ୍ୟ ରହିଛି । ଏଥିସହିତ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଉନ୍ନତି ଆଣିବା, ଅଧିକ ସ୍ୱାୟତ୍ତତା ସହିତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସଶକ୍ତ କରିବା ତଥା ଉତ୍ତରଦାୟିତବ ବଜାୟ ରଖିବା, ଅଧ୍ୟାପକ ନିଯୁକ୍ତି ଓ କୁଳପତି ଚୟନ ପ୍ରକ୍ରିୟାରେ ଏକାଡେମିକ୍ ପ୍ରଫେସନାଲମାନଙ୍କୁ ଜଡ଼ିତ କରିବା, ସିନେଟ, ଅର୍ଥ କମିଟି ଓ ବିଲଡିଂସ ଓ ନିର୍ମାଣ କମିଟି ଗଠନ କରିବା ଆଦି ଏହି ସଂଶୋଧନର ମୁଖ୍ୟ ଦିଗ ରହିଛି ।
ଏହି ଆଇନରେ ସଂଶୋଧନ କରି ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ସରଳ କରିବା ସହ କୋର୍ଟ ମାମଲା ହେତୁ ଶିକ୍ଷକ ନିଯୁକ୍ତିରେ ଆଣିଥିବା ସ୍ଥାଣୁତାକୁ ଦୂର କରିବାକୁ ଲକ୍ଷ୍ୟ ରଖିଛନ୍ତି । ନିଯୁକ୍ତି ପାଇଁ ଅଧିକ ସ୍ୱଚ୍ଛ ଓ ସମୟସୀମା ବଦ୍ଧ ପ୍ରଣାଳୀ ସୃଷ୍ଟି କରିବାକୁ ଏହି ପରିବର୍ତ୍ତନଗୁଡ଼ିକ ପରିକଳ୍ପନା କରାଯାଇଛି । ଏହି ସଂଶୋଧନ ଜାତୀୟ ଶିକ୍ଷା ନୀତି, ୨୦୨୦ର ପରିବର୍ତ୍ତନଶୀଳ ଦିଗଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରିଛି । ଯେପିରିକି ବହୁମୁଖୀ ଶିକ୍ଷା ଉପରେ ଗୁରୁତ୍ୱ, ନିଯୁକ୍ତି ପାଇଁ ଦକ୍ଷତା ବିକାଶ ଓ ଦୂରତା ଶିକ୍ଷା ଇତ୍ୟାଦି ମାଧ୍ୟମରେ ଅଧିକରୁ ଅଧିକ ଛାତ୍ରଛାତ୍ରୀମାନେ ଯେପରି ଉଚ୍ଚଶିକ୍ଷା ହାସଲ କରିବେ ।