ଥମୁନି ବେଜେଡି କନ୍ଦଳ: ସଞ୍ଜୟଙ୍କୁ ଘେରିଲେ ଅମେରଶଙ୍କ ସମର୍ଥକ, ଦଳ ଠିକ ଢଙ୍ଗରେ ପରିଚାଳନା ହେଉନି ବୋଲି ବୟାନ ଦେଲେ
ଭଲ ସରକାରକୁ କିଛି ଜଣ ଷଡ଼ଯନ୍ତ୍ର କରି ବିଦା କରିଛନ୍ତି କହିଲେ ଅମରେଶ ।
ଭୁବନେଶ୍ବର: ଦିନକୁ ଦିନ ଜଳଜଳ ହୋଇ ଦିଶୁଛି ବିଜେଡି କନ୍ଦଳ । ସଞ୍ଜୟ ଦାସ ବର୍ମାଙ୍କୁ ଘେରିଲେ ଅମେରଶଙ୍କ ସମର୍ଥକ । କାର୍ଯ୍ୟକାରିଣୀରୁ ଅମରେଶଙ୍କ ବାଦ୍ ପଡ଼ିବା ପରେ ହଙ୍ଗାମା ଦେଖାଯାଇଛି ।
ବିଜେଡିର ଟାଣୁଆ କର୍ପୋରେଟର ଅମେରଶ ଜେନାଙ୍କ ଶତାଧିକ ସମର୍ଥକ ରାତି ଅଧରେ ସଞ୍ଜୟ ଦାସ ବର୍ମାଙ୍କୁ ଘେରିଛନ୍ତି । ସଞ୍ଜୟଙ୍କ ଖାରବେଳ ନଗର ସ୍ଥିତ ବାସଭବନରେ ପହଞ୍ଚି ପ୍ରବଳ ହୋହାଲ୍ଲା କରିଦେଲେ ।
ରାଜ୍ୟ ପରିଷଦ ସଦସ୍ୟ ତାଲିକାରୁ ଅମେରଶଙ୍କ ନାମ ବାଦ୍ ପଡିବା ପଛରେ ସଞ୍ଜୟଙ୍କ ହାତ ଥିବା ସେମାନେ ଖୋଲାଖୋଲି ଅଭିଯୋଗ କରିଥିଲେ ।
ତେବେ ବିଜେଡି ଦଳକୁ ନେଇ ଆଜି ବିସ୍ଫୋରକ ବୟାନ ଦେଇଛନ୍ତି ଅମରେଶ ଜେନା । ଦଳ ଠିକ ଢଙ୍ଗରେ ପରିଚାଳନା ହେଉନି କହିଲେ ଅମରେଶ ।
ସେ ଅଭିଯୋଗ କରି କହିଛନ୍ତି, ଯେଉଁମାନେ କାମ କରୁଛନ୍ତି ଅଣାଦେଖା କରାଯାଉଛି । ଯେଉଁ ୪ରୁ ୫ ଜଣଙ୍କୁ ଦାୟିତ୍ବ ଦିଆଯାଇଛି ସେମାନେ ନିରପେକ୍ଷ ନୁହନ୍ତି । ମେଳି କରିଥିବା ବରିଷ୍ଠଙ୍କ ଦ୍ବାରା ସେମାନେ ପରିଚାଳିତ ହେଉଛନ୍ତି ।
ସେମାନେ ଯାହା କହୁଛନ୍ତି, ଏମାନେ କରୁଛନ୍ତି । ନିର୍ବାଚନରେ ହାରିବା ପରେ ସବୁ ଜିଲ୍ଲାରେ ମୁଣ୍ଡ ପୁରାଉଛନ୍ତି ।୨୪ ବର୍ଷର ସରକାର, ଯାହା ଦେହରେ ହାତ ମାରିଥିଲେ ସୁନା ହୋଇଥାଆନ୍ତା । ଭଲ ସରକାରକୁ କିଛି ଜଣ ଷଡ଼ଯନ୍ତ୍ର କରି ବିଦା କରିଛନ୍ତି । ଏହି ଷଡ଼ଯନ୍ତ୍ରକାରୀଙ୍କ ହାତରେ ଦଳ ଅଛି ବୋଲି ସେ କହିଛନ୍ତି ।