ୱାଶିଂଟନ,୨୨ା୭: ଆମେରିକା ଜାତିସଂଘର ସାଂସ୍କୃତିକ ଏବଂ ଶିକ୍ଷାନୁଷ୍ଠାନ ୟୁନେସ୍କୋରୁ ଓହରିଯିବା ଘୋଷଣା କରିଛି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ଟାମି ବ୍ରୁସ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମେରିକା ସଂଗଠନର ‘ଇସ୍ରାଏଲ ବିରୋଧୀ ଦୃଷ୍ଟିକୋଣ’ ଏବଂ ‘ବିଭାଜନକାରୀ କାରଣ’କୁ ପ୍ରୋତ୍ସାହିତ କରିବାରେ ଆମେରିକା ସହମତ ନୁହେଁ ।
ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ଟାମି ବ୍ରୁସ୍ ଏକ ଟ୍ୱିଟରେ ଲେଖିଛନ୍ତି, ଆଜି ଆମେରିକା ୟୁନେସ୍କୋରୁ ବାହାରି ଯିବାକୁ ନିଷ୍ପତ୍ତି ନେଇଛି। ଜାତିସଂଘର ଅନ୍ୟାନ୍ୟ ଅନେକ ସଂଗଠନ ପରି, ୟୁନେସ୍କୋ ମଧ୍ୟ ଏହାର ମୂଳ ଉଦ୍ଦେଶ୍ୟରୁ ବିଚ୍ୟୁତ ହୋଇଛି। ଏବେଠାରୁ ଆମେରିକାର ଅଂଶଗ୍ରହଣ କେବଳ ସେହି ପ୍ରତିଷ୍ଠାନଗୁଡ଼ିକରେ ରହିବ ଯାହା ଏହାକୁ ଅଧିକ ସୁରକ୍ଷିତ, ଶକ୍ତିଶାଳୀ ଏବଂ ସମୃଦ୍ଧ କରିଥାଏ।
ଆମେରିକା ଦୀର୍ଘଦିନ ଧରି ୟୁନେସ୍କୋକୁ ଇସ୍ରାଏଲ ବିରୋଧରେ ପକ୍ଷପାତିତାର ଅଭିଯୋଗ କରିଆସୁଛି। ଆମେରିକା ବିଶ୍ୱାସ କରେ ଯେ, ୟୁନେସ୍କୋ ଇସ୍ରାଏଲର ଐତିହାସିକ ଏବଂ ସାଂସ୍କୃତିକ ଅଧିକାରକୁ ଅସ୍ୱୀକାର କରି ଏକପାଖିଆ ମନୋଭାବ ଗ୍ରହଣ କରୁଛି। ତେଣୁ ସେ ୟୁନେସ୍କୋରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି ।