fbpx

ଚାଣକ୍ୟଙ୍କ ବଡ଼ ଅଜବ ଚାଣକ୍ୟନୀତି ; ପ୍ରଥମେ ପ୍ରଶଂସା କରି ପୁଣି ଘେରିବାକୁ ଟିପ୍ସ

ଓଡ଼ିଶା ଭାସ୍କର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଦିଲ୍ଲୀ ଫେରିଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ହେଲେ ଦଳୀୟ କର୍ମୀଙ୍କୁ ସେ ଦେଇ ଯାଇଥିବା ଟିପ୍ସ ଏବେ ସମସ୍ତଙ୍କୁ ବଡ଼ ଦ୍ୱନ୍ଦ୍ୱରେ ପକାଇଛି । ତୃଣମୂଳସ୍ତରକୁ ଯାଇ ଲୋକଙ୍କ ସମସ୍ୟା ପ୍ରସଙ୍ଗରେ ଅଧିକରୁ ଅଧିକ ଆନ୍ଦୋଳନ କରିବାକୁ କହିଛନ୍ତି ବିଜେପି ଚାଣକ୍ୟ ଅମିତ ଶାହା। ଯେଉଁଠି ବିଜେଡି ପକ୍ଷଭୁକ୍ତ ଓ ଲୋକଙ୍କ ଅସନ୍ତୋଷ ଅଛି ସେଇଠି ସରକାରଙ୍କୁ ଘେରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ଅବସର ଥିଲା ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଜାତୀୟ ରାଜପଥ ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ରାଜ୍ୟ ସରକାରଙ୍କର ଖୁବ ପ୍ରସଂଶା କରିଥିଲେ । କାର୍ଯ୍ୟକ୍ରମ ସରିବା ପରେ ସମ୍ମିଳନୀ କକ୍ଷରୁ ବାହାରି ଯାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଉପସ୍ଥିତ ଅନ୍ୟ ନେତା ଓ ଅଧିକାରୀ । ଏହାପରେ ଆରମ୍ଭ ହୋଇଥିଲା ନବୀନ ଓ ଶାହାଙ୍କ ମଧ୍ୟରେ ଗୋପନ ଆଲୋଚନା । ପ୍ରାୟ ଅଧ ଘଂଟା ଧରି ଦୁଇ ନେତା ବିଭିନ୍ନ ପ୍ରସଙ୍ଗରେ ୱାନ-ଟୁ-ୱାନ୍ ଆଲୋଚନା କରିଥିଲେ । ଉଭୟଙ୍କ ଭିତରେ କଣ ଆଲୋଚନା ହେଲା ଓ କଣ ନିଷ୍ପତି ନିଆଗଲା ? ତାହା କେବଳ ଶାହା ଓ ନବୀନଙ୍କୁ ହିଁ ଜଣା ।

ଅନ୍ୟପଟେ ଏହି ଗୋପନ ବୈଠକ ସରିବା ପରେ ଦଳୀୟ କାର୍ଯ୍ୟକର୍ତାଙ୍କୁ ଗୁରୁମନ୍ତ୍ର ଦେବାକୁ ଧାଇଁ ଯାଇଥିଲେ ବିଜେପି ଚାଣକ୍ୟ ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା | ରାଜ୍ୟ କାର୍ଯ୍ୟାଳୟକୁ ଯାଇ ସରକାରଙ୍କ ବିରୋଧରେ ଦଳୀୟ କାର୍ଯ୍ୟକର୍ତାଙ୍କୁ ଟିପ୍ସ ଦେଇଥିଲେ । ଦିଲ୍ଲୀରୁ ଦଳର ଶୀର୍ଷନେତା ଆସି ପ୍ରଥମେ ରାଜ୍ୟ ସରକାରଙ୍କୁ ଖୁବ ପ୍ରଶଂସା କରି ପୁଣି ପାର୍ଟି ଅଫିସ ଯାଇ ସେହି ସରକାରଙ୍କ ବିରୁଦ୍ଧରେ କେମିତି ଟିପ୍ସ ରଖିଛନ୍ତି ତାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଛି । ବିଜେପିର ଏହି ଚାଣକ୍ୟଙ୍କ ଚାଣକ୍ୟନୀତି ବଡ଼ ଅଜବ, ପ୍ରଥମେ ପ୍ରଶଂସା କରି ପୁଣି ଘେରିବା ଟିପ୍ସକୁ ବୁଝିବା ଏହା ଦଳୀୟ କାର୍ଯ୍ୟକର୍ତାଙ୍କ ପକ୍ଷରେ ବଡ଼ କଷ୍ଟସାଧ୍ୟ ବ୍ୟାପର ।

ଆହୁରି ମଧ୍ୟ ଦ୍ୱନ୍ଦ୍ୱ ରହିଛି ,ଶାହାଙ୍କ ଏହି ପ୍ରଶଂସା ପରେ ବିଜେପି ନେତା ଏବେ ଲୋକଙ୍କ ପାଖକୁ ଯାଇ ରାଜ୍ୟ ସରକାରଙ୍କୁ ନିନ୍ଦା,ଅପବାଦ ଦେଇ ପାରିବେ ତ? ନା ପରୋକ୍ଷରେ ଅମିତ ଶାହା ଏମାନଙ୍କ ପାଟି ଚୁପ୍ କରିଦେଇଛନ୍ତି ଯାହା ଏବେ ସନ୍ଦେହ ଘେର ଭିତରେ ରହିଛି ।

 

 

 

Get real time updates directly on you device, subscribe now.