fbpx

ଆଫଗାନିସ୍ତାନର ରାଷ୍ଟ୍ରପତି ହେଲେ ଅମରୁଲ୍ଲା ସଲେହ

ନୂଆଦିଲ୍ଳୀ: ତାଲିବାନ ଶାସନ କ୍ଷମତା ଅକ୍ତିଆର କରିବା ପରେ ଦେଶ ଛାଡି ପଳାୟନ କରିଥିଲେ ରାଷ୍ଟ୍ରପତି ଅଶ୍ରଫ୍ ଘନି । ଘନି ଦେଶ ଛାଡି ବିଦାୟ ନେବା ପରେ ଆଫଗାନିସ୍ତାନର ରାଷ୍ଟ୍ରପତି ଭାବରେ ନିଜକୁ ଘୋଷଣା କରିଛନ୍ତି ଅମରୁଲ୍ଲା ସଲେହ । ଘନିଙ୍କ ଡେପୁଟି ଭାବରେ ରହିଥିବା ଉପ ରାଷ୍ଟ୍ରପତି ଅମରୁଲ୍ଲା ନିଜକୁ ଘନିଙ୍କ ଉତ୍ତରାଧିକାରୀ ଭାବରେ ଘୋଷଣା କରିଛନ୍ତି । ନିଜକୁ ଅମରୁଲ୍ଳା କେୟାର ଟେକର ପ୍ରେସିଡେଣ୍ଟ ବା କାର୍ଯ୍ୟବାହୀ ରାଷ୍ଟ୍ରପତି ଭାବରେ ଘୋଷଣା କରିଛନ୍ତି । ଅବଦୁଲ ଘନି ବରାଦର ରାଷ୍ଟ୍ରପତି ହେବା ନେଇ ଅନୁମାନ କରାଯାଉଥିବା ବେଳେ ଅମରୁଲ୍ଲାଙ୍କ ଏହି ଘୋଷଣା ସମସ୍ତଙ୍କୁ ସଂଶୟରେ ପକାଇଛି । ତେବେ ଏହି ଘଟଣାକୁ ନେଇ ତାଲିବାନର ପ୍ରତିକ୍ରିୟା ମିଳିପାରିନାହିଁ ।

ଆଫଗାନିସ୍ତାନର ନିୟମ ଅନୁଯାୟୀ ରାଷ୍ଟ୍ରପତିଙ୍କ ଅନୁପସ୍ଥିତି ଉପ ରାଷ୍ଟ୍ରପତିଙ୍କୁ କେୟାର ଟେକର ପ୍ରେସିଡେଣ୍ଟ ଭାବରେ ଘୋଷଣା କରାଯାଇଥାଏ । ମୁଁ ବର୍ତ୍ତମାନ ମୋ ଦେଶ ମଧ୍ୟରେ ରହିଥିବାରୁ ରାଷ୍ଟ୍ରପତିଙ୍କ ସ୍ଥାନ ନେବା ପାଇଁ ମୁଁ ହିଁ ସୁଯୋଗ୍ୟ । ଅନ୍ୟ ରାଜନୈତିକ ଦଳ ଗୁଡିକର ସମର୍ଥନ ପାଇଁ ଆଲୋଚନା ଜାରି ରହିଛି ବୋଲି ଅମରୁଲ୍ଳା ଟ୍ୱିଟ କରିଛନ୍ତି । ରବିବାର ସୁରକ୍ଷା ପରାମର୍ଶଦାତା ହମଦୁଲ୍ଲା ମୁହିବ ଓ ଶାସନ ମୁଖ୍ୟ ଫଜେଲ ମହମୁଦ୍ ଫଜିଲ୍ଙ୍କ ସହିତ ଦେଶ ଛାଡି ପଳାଇଥିଲେ ଅଶ୍ରଫ ଘନି । ଏହା ସହିତ କିଛି ଆଫଗାନୀ ନେତା ପାକିସ୍ତାନ ପଳାୟନ କରିଥିବା ଜଣାପଡିଛି । ଦୁଇ ଦସନ୍ଧିର ଯୁଦ୍ଧ ପରେ ଆମେରିକା ସେନା ପ୍ରତ୍ୟାହାର କରିବା ପରେ ଆଫଗାନିସ୍ତାନର ଏକାଧିକ ନେତା ଦେଶ ଛାଡି ଇସଲାମାବାଦ ପଳାଇଥିଲେ । ଏହି ନେତାଙ୍କ ମଧ୍ୟରେ ରହମାନ ରେହମାନୀ, ଅହମଦ ଜିଆ, ୟୁନୁସ କାନୁନୀ, ମହମ୍ମଦ ମୁହାକେକ୍, କରିମ ଖଲିଲଙ୍କ ଭଳି ନେତା ପାକିସ୍ତାନ ପଳାୟନ କରିଥିବା ଜଣାପଡିଛି ।

Get real time updates directly on you device, subscribe now.