fbpx

ଆଉ ମାତ୍ର ଗୋଟିଏ ଦିନ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୮ କେନ୍ଦ୍ରମନ୍ତ୍ରୀଙ୍କ ସହ ବହୁ ବରିଷ୍ଠ ନେତାଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ:ଦେଶର ୨୧ ରାଜଧାନୀ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଏପ୍ରିଲ ୧୯ ତାରିଖରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ୧୦୨ ସିଟ୍‌ରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ୮ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ରାଜ୍ୟପାଳଙ୍କ ଭାଗ୍ୟ ପରୀକ୍ଷା ହେବ । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ନାଗପୁର ଲୋକସଭା କ୍ଷେତ୍ରରୁ ହ୍ୟାଟ୍ରିକ କରିବା ନେଇ ଆଶା ରଖିଛନ୍ତି । ଗଡକରୀ ୨୦୧୪ ଲୋକସଭା ନିର୍ବାଚନରେ ୭ ଥରର ସାଂସଦ ବିଲାସ ମୁତ୍ତେମବାରଙ୍କୁ ୨.୮୪ ଲକ୍ଷ ଭୋଟରେ ଓ ୨୦୧୯ରେ କଂଗ୍ରେସର ନାନା ପଟୋଲେଙ୍କୁ ୨.୧୬ ଲକ୍ଷ ଭୋଟରେ ହରାଇ ବିଜେପିକୁ ଲଗାତର ୨ୟ ବାର ନାଗପୁର ଆସନରୁ ବିଜୟୀ କରିଥିଲେ ।
ସେହିପରି କେନ୍ଦ୍ର ମନ୍ତ୍ରୀ କିରଣ ରିଜ୍ଜୁ ଅରୁଣାଚଳ ପଶ୍ଚିମ ସିଟ୍‌ରୁ ନିର୍ବାଚନ ଲଢୁଛନ୍ତି । ୫୨ ବର୍ଷୀୟ ଏହି ବିଜେପି ନେତା ୩ ଥର ଏହି ସିଟ୍‌ରୁ ପ୍ରତିନିଧିତ୍ୱ କରି ସାରିଛନ୍ତି । ଏଥର ଏଠାରେ ରିଜ୍ଜୁଙ୍କ ମୁକାବିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ଅରୁଣାଚଳପ୍ରଦେଶ ରାଜ୍ୟ ସଂଗଠନ ଅଧ୍ୟକ୍ଷ ନବାମ୍ ତୁକୀଙ୍କ ସହ ହେଉଛି ।

ସେହିପରି କେନ୍ଦ୍ର ବନ୍ଦର, ପରିବହନ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ଆସାମର ଡିବ୍ରୁଗଡ ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ମୁଜାଫରନଗର ଲୋକସଭା ସିଟ୍‌ରେ ତ୍ରିକୋଣୀୟ ମୁକାବିଲା ହେବ । ଏଠାରେ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବଲିୟାନଙ୍କ ମୁକାବିଲା ସମାଜବାଦୀ ପାର୍ଟିର ହରେନ୍ଦ୍ର ମଲ୍ଲିକ ଓ ବହୁଜନ ସମାଜ ପାର୍ଟିର ଦାରା ସିଂହ ପ୍ରଜାପତିଙ୍କ ସହ ହେବ । ସେହିପରି ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ଓ ୨ ଥରର ସାଂସଦ ଜିତେନ୍ଦ୍ର ସିଂହ ଉଦ୍ଧମପୁର ଲୋକସଭା ଆସନରୁ ଲଗାତର ତୃତୀୟ ଥର ନିର୍ବାଚନ ଜିତିବାକୁ ଆଶା ରଖିଛନ୍ତି ।

ଏମାନଙ୍କ ବ୍ୟତୀତ ୧୯ରେ ଆଉ ଯେଉଁ ବଡ ଚେହେରାମାନଙ୍କ ଭାଗ୍ୟ ପରୀକ୍ଷା ହେବ ସେମାନଙ୍କ ମଧ୍ୟରେ ରହିଛନ୍ତି ରାଜ୍ୟସଭା ସଦସ୍ୟ ଭୂପେନ୍ଦ୍ର ଯାଦବ(ରାଜସ୍ଥାନ ଅଲୱର ଆସନ), କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ(ରାଜସ୍ଥାନ ବିକାନେର ସିଟ୍‌) ରହିଛନ୍ତି । ସେହିପରି ତାମିଲନାଡୁ ନୀଳଗିରି ଲୋକସଭା ସିଟ୍‌ରୁ ଡିଏମକେ ସାଂସଦ ତଥା ପୂର୍ବତନ ଟେଲି ଯୋଗାଯୋଗ ମନ୍ତ୍ରୀ ଏ.ରାଜାଙ୍କ ମୁକାବିଲା ବିଜେପିର ଏଲ୍ ମୁରୁଗାନଙ୍କ ସହ ହେବ ଯିଏକି କେନ୍ଦ୍ର ମତ୍ସ୍ୟ ରାଷ୍ଟ୍ର ମନ୍ତ୍ରୀ ଅଛନ୍ତି । ସେହିପରି ଶିବଗଙ୍ଗା ଲୋକସଭା ସିଟ୍‌ରେ କଂଗ୍ରେସର କାର୍ତ୍ତି ଚିଦାମ୍ବରମଙ୍କ ମୁକାବିଲା ବିଜେପିର ଟି.ଦେବନାଥନଙ୍କ ସହ ହେବାକୁ ଯାଉଛି । ତେଲେଙ୍ଗାନା ରାଜ୍ୟପାଳ ଓ ପୁଡୁଚେରୀ ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ତାମିଲିସାଇ ସୌନ୍ଦରରାଜନ ଚେନ୍ନାଇ ଦକ୍ଷିଣ ଲୋକସଭା ସିଟ୍‌ରୁ ନିର୍ବାଚନରେ ଲଢୁଛନ୍ତି । ଏଠାରେ ତାଙ୍କର ମୁକାବିଲା ଡିଏମକେ ନେତ୍ରୀ କାନିମୋଝିଙ୍କ ସହ ହେବ ।

Get real time updates directly on you device, subscribe now.