fbpx

ଆନ୍ଧ୍ରପ୍ରଦେଶ: ଅଚାନକ ଆସିଲା ବନ୍ୟା, ୧୭ ମୃତ; ୧୦୦ ନିଖୋଜ

ଅମରାବତୀ: ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେତୁ ଆନ୍ଧ୍ରପ୍ରଦେଶରେ ଅଚାନକ ବନ୍ୟା ଆସିବା ଫଳରେ ଧ୍ୱଂସ ପରିସ୍ଥିତି ସୃଷ୍ଟି ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏପର୍ୟ୍ୟନ୍ତ ୧୭ ଜଣଙ୍କର ମୃତ୍ୟୁ ହୋଇଯାଇଛି। ପ୍ରାୟ ୧୦୦ ଜଣ ନିଖୋଜ ଥିବାବେଳେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଫଳରେ ଆସନ୍ତା ୨୪ ଘଣ୍ଟା ଧରି ରାଜ୍ୟର ଚାରିଟି ଜିଲ୍ଲାରେ ପ୍ରବଳ ଲାଗିରହିବ ବୋଲି ସୂଚନା ରହିଛି । ଶୁକ୍ରବାର ଦିନ ରାୟଲସିମାର ତିନୋଟି ଜିଲ୍ଲା ଏବଂ ଗୋଟିଏ ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାରେ ୨୦ ସେମି ପର୍ୟ୍ୟନ୍ତ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । କୁଡାପା ଜିଲ୍ଲାରେ ବନ୍ୟାରେ ୧୨ ଜଣ ନିଖୋଜ ହୋଇଯାଇଛନ୍ତି। ବାୟୁସେନା, ଏନଡିଆରଏଫ ଏବଂ ଅଗ୍ନିଶମ କର୍ମଚାରୀମାନେ ବନ୍ୟାରେ ଫସି ରହିଥିବା ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଛି ।

ବନ୍ୟା ପରିସ୍ଥିତିକୁ ଆଖିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ୟେସ ଜଗନମୋହନ ରେଡ୍ଡୀଙ୍କ ସହ ଫୋନରେ କଥା ହୋଇ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ବାନ୍ୟାଞ୍ଚଳ ପରିଦର୍ଶନ କରିବେ ଓ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ସହାୟତା ଘୋଷଣା କରିବେ । ତେବେ ଆନ୍ଧ୍ରପ୍ରଦେଶର କିଛି କିଛି ସ୍ଥାନରେ ସୃଷ୍ଟି ହୋଇଥିବା ବନ୍ୟାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଗୋଟିଏ ଦୁଇ ମହଲା ବିଶିଷ୍ଟ ଘର ଦେଖୁ ଦେଖୁ ପାଣିରେ ମିଶିଯିବାର ଏକ ଭିଡିଓ ଭାଇରାଲ୍ ହେଉଛି । ଅନେକ ଗୃହପାଳିତ ପଶୁ ମଧ୍ୟ ପାଣିରେ ଭାସିଯାଇଛନ୍ତି ।

Get real time updates directly on you device, subscribe now.