ଭୁବନେଶ୍ବର,୧୮।୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସନ୍ଧ୍ୟାରେ ଲୋକସେବା ଭବନଠାରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ନିଆଯାଇଥିବା ପ୍ରସ୍ତୁତି ସମ୍ପର୍କରେସମୀକ୍ଷା କରିଛନ୍ତି ।
ବୈଠକରେ ସମସ୍ତ ଜିଲ୍ଲାପାଳ ଓ ଉପସ୍ଥିତ ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆଗୁଆ ଆସିଛି । ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା ଅଧିକ ରହୁଛି । ଯଦିଓ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଗାମୀ ଦିନରେ ତାପମାତ୍ରା କମିବ, ତେବେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ସରକାରୀ ସ୍ତରରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଯାହା SOP ଜାରି କରାଯାଇଛି, ତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଆବଶ୍ୟକସ୍ଥଳେ SOP ବାହାରେ ମଧ୍ୟ କାମ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ ।
ସ୍କୁଲଗୁଡିକୁ ଯଥାଶୀଘ୍ର ସକାଳୁଆ କରିବା ପାଇଁ ତୁରନ୍ତ sop ଜାରି କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଅଙ୍ଗନବାଡି କେନ୍ଦ୍ରଗୁଡିକ ସମୟ ପରିବର୍ତ୍ତନ କରି ସକାଳ ୭ଟାରୁ ୯ଟା ମଧ୍ୟରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୧୭ ହଜାରରୁ ଅଧିକ ନଳକୂପ ମଞ୍ଜୁର କରାଯାଇଛି । କୌଣସି ଜାଗାରେ ଯେପରି ପାଣି ପାଇଁ ଅସୁବିଧା ନ ହୁଏ, ତାହାକୁ ଦୃଷ୍ଟିରେ ରଖି ସପ୍ତାହକ ମଧ୍ୟରେ ନଳକୂପ ସ୍ଥାପନ ଓ ମରାମତି କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ପଦକ୍ଷେପ ନେବାକୁ କଡା ନିର୍ଦ୍ଦେଶ ଦେଇଥିଲେ । ଯେଉଁସବୁ ଅଞ୍ଚଳରେ ପାନୀୟ ଜଳର ଅଭାବ ପରିଲକ୍ଷିତ ହେଉଛି, ସେ ସବୁ ଅଞ୍ଚଳକୁ ଚିହ୍ନଟ କରି ବୋର୍ୱେଲ ଓ ନଳକୂପର ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରିବା ପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।
ଜିରୋ କାଜୁଆଲ୍ଟି ଲକ୍ଷ୍ୟ ରଖି ସମସ୍ତେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ସେ କହିଥିଲେ ଯେ, ଅଂଶୁଘାତର ମୁକାବିଲା ପାଇଁ ଛାଇ ଓ ପାଣି ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ସହରାଞ୍ଚଳରେ ଟ୍ରାଫିକ ଛକ ଏବଂ ଗ୍ରାମାଞ୍ଚଳରେ ବସ୍ଷ୍ଟାଣ୍ଡଗୁଡିକରେ ଛାଇ ପାଇଁ ଟେଣ୍ଟ ବ୍ୟବସ୍ଥା ଓ ଜଳଛତ୍ର ବ୍ୟବସ୍ଥା କରିବା ପାଇଁ ସମସ୍ତେ ଯତ୍ନବାନ ହେବା ପାଇଁ ସେ ପରାମର୍ଶ ଦେଇଥିଲେ । ବିଗତ ଦିନରେ ସଚେତନତାମୂଳକ ପ୍ରଚାର ପ୍ରସାର ଜରିଆରେ ଆମେ ସଫଳତା ପାଇଛୁ । ତେଣୁ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଟିଭି, ରେଡିଓ, ଖବରକାଗଜ ଓ ସାମାଜିକ ଗଣମାଧ୍ୟମ ଜରିଆରେ ବ୍ୟାପକ ପ୍ରଚାର ପ୍ରସାର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।