fbpx

ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନଙ୍କ ଘୋଷଣା, ଅଗ୍ନିପଥ ଯୋଜନା ବିରୋଧରେ ବିଧାନସଭାରେ ଅଣାଯିବ ପ୍ରସ୍ତାବ

ଚଣ୍ଡିଗଡ: ଅଗ୍ନିପଥ ଯୋଜନାକୁ ନେଇ ନିକଟରେ ଦେଶର ଅନେକ ରାଜ୍ୟରେ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ଏବେ ବିଜେପି ଅଣଶାସିତ ରାଜ୍ୟ ନିଜର ବିଧାନସଭାରେ ଅଗ୍ନିପଥ ଯୋଜନା ବିରୋଧରେ ବିଧେୟକ ଆଣିବାକୁ ଯୋଜନା କରୁଛନ୍ତି। ଏହି କ୍ରମରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାର ନିନ୍ଦା କରିବା ସହ ଏହା ବିରୋଧରେ ବିଧାନସଭାରେ ପ୍ରସ୍ତାବ ଅଣାଯିବ ବୋଲି ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି, ଏହି ପ୍ରସ୍ତାବ ରାଜ୍ୟର ସମସ୍ତ ଦଳର ସର୍ବସମ୍ମତି କ୍ରମେ ଅଣାଯିବ। ସେ ଅଗ୍ନିପଥ ଯୋଜନାର ସଂପୂର୍ଣ୍ଣ ବିରୋଧୀ। ଏହା ବହୁତ ଦୁଃଖର ବିଷୟ ଯେ, ୧୭ ବର୍ଷର ଯୁବକ ସେନାକୁ ଯିବ ଏବଂ ୨୧ ବର୍ଷ ବୟସରେ ପୂର୍ବତନ ଯବାନରେ ପରିଣତ ହେବ। ଏହି ବୟସରେ ତ ତାର ବିବାହ ମଧ୍ୟ ହୋଇନଥିବ। ସେନାରୁ ବାହାରିବା ପରେ କ୍ୟାଣ୍ଟିନରୁ ସାମଗ୍ରୀ କିଣିବାକୁ ମଧ୍ୟ ତାଙ୍କୁ ସୁଯୋଗ ମିଳିବନି ବୋଲି ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି।

ସେ କହିଛନ୍ତି, ଯୁବ ପିଢି କଠୋର ପରିଶ୍ରମ କରିବା ପରେ ସେନାରେ ନିଯୁକ୍ତି ପାଇଥାନ୍ତି ଏବଂ ପ୍ରାୟ ୩୫ ବର୍ଷ ବୟସ ପର‌୍ୟ୍ୟନ୍ତ ଚାକିରି କରିଥାନ୍ତି। ମାତ୍ର ନୂତନ ଯୋଜନା ଅନୁସାରେ ଏତେ ପରିଶ୍ରମ ପରେ ସେମାନଙ୍କୁ ମାତ୍ର ୪ ବର୍ଷ ସେନାରେ କାମ କରିବାକୁ ସୁଯୋଗ ମିଳିବ। ଏହା ପରେ ହଟାଇ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ପଞ୍ଜାବର ବିରୋଧୀ ଦଳ ନେତା ପ୍ରତାପ ବାଜଓ୍ଵା ମଧ୍ୟ କହିଛନ୍ତି ଯେ, ଅଗ୍ନିପଥ ଯୋଜନା ବିରୋଧରେ ସମସ୍ତ ରାଜନୈତିକ ଦଳଗୁଡିକୁ ଏକମତ ହେବା ଉଚିତ୍। ସର୍ବସମ୍ମତିକ୍ରମେ ବିଧାନସଭାରେ ଏହା ବିରୋଧରେ ପ୍ରସ୍ତାବ ପାରିତ ହେବା ଉଚିତ୍। କିନ୍ତୁ ବିଜେପି ବିଧାୟକ ଅଶ୍ଵିନୀ ଶର୍ମା ଏହାର ବିରୋଧ କରିଛନ୍ତି। ତାଙ୍କ ମୁତାବକ ଏହି ଯୋଜନା ଯୁବକଙ୍କ ହିତରେ ରହିଛି।

Get real time updates directly on you device, subscribe now.