fbpx

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୧୧ ଶହ ମୋ’ ସେବା କେନ୍ଦ୍ର: ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ, ସୁନ୍ଦରଗଡ଼ ଓ ଜୟପୁରରେ ହେବ ଡାଟା କେନ୍ଦ୍ର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଲେକ୍‍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ମୋ’ ସେବା କେନ୍ଦ୍ର ଜରିଆରେ ନାଗରିକଙ୍କ ପାଖରେ ସରକାରୀ ସେବା ଉପଲବ୍ଧ ହୋଇପାରିଛି । ବର୍ତ୍ତମାନ ରାଜ୍ୟରେ ୬ ହଜାର ୯୦୦ ମୋ’ ସେବା କେନ୍ଦ୍ର ରହିଥିବାବେଳେ ଭବିଷ୍ୟତରେ ଏହାକୁ ୮ ହଜାରକୁ ବୃଦ୍ଧି କରାଯିବ । ସେ କହିଛନ୍ତି, ଆଗାମୀ ଦିନରେ ସୁନ୍ଦରଗଡ଼ ଓ ଜୟପୁରରେ ଜିଲ୍ଲା ଡାଟା କେନ୍ଦ୍ର ସ୍ଥାପନ କରାଯିବ । ସମସ୍ତ ଗ୍ରାମ ପଞ୍ଚାୟତ ପାଇଁ ମୋ’ ସେବା କେନ୍ଦ୍ର ଏବଂ ଆଭାସୀ ବୈଠକ ସୁବିଧା ସମ୍ପ୍ରସାରିତ ହେବା ସହ ସମସ୍ତ ବ୍ଲକ ମୁଖ୍ୟାଳୟରେ ସ୍ମାର୍ଟ ମୋ’ ସେବା କେନ୍ଦ୍ର ପ୍ରତିଷ୍ଠା ହେବ ।

ପୁରୀଠାରେ ଏକ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ପ୍ରତିଷ୍ଠା ହେଉଛି । ଶ୍ରୀ ବେହେରା କହିଛନ୍ତି, ପ୍ରଯୁକ୍ତିର ସମ୍ଭାବିତ କ୍ଷେତ୍ରରେ ଉତ୍କର୍ଷ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇ ତିନି ହଜାର ବ୍ୟକ୍ତିବିଶେଷଙ୍କୁ ପ୍ରଶିକ୍ଷଣ ଦିଆଯିବ । ସେହିଭଳି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ପରେ ବିଭାଗୀୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ଫାଇଭ୍‍-ଟି ଅଧୀନରେ ତିନୋଟି ପର୍ଯ୍ୟାୟରେ ୬ ହଜାର ୧୨୩ଟି ବିଦ୍ୟାଳୟକୁ ରୂପାନ୍ତରିତ କରାଯାଇଛି । ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ହାଇସ୍କୁଲ ଇକୋ ସିଷ୍ଟମରେ ପରିବର୍ତ୍ତନ ଆଣି ଫାଇଭ୍‍-ଟି ରୂପାନ୍ତରଣ କାର୍ଯ୍ୟକ୍ରମର ଚତୁର୍ଥ ପର୍ଯ୍ୟାୟ ଶେଷ ବୋଲି ସେ କହିଛନ୍ତି ।

ସେହିଭଳି ରାଜ୍ୟରେ ୩୧୫ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସହିତ ୩୧୩ଟି ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ଷମ ହୋଇଛି । ସେ କହିଛନ୍ତି, ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ବିଦ୍ୟାର୍ଥୀଙ୍କ ପାଇଁ ସ୍କୁଲ ପୋଷାକ ପ୍ରଦାନ ଲାଗି ମୁଖ୍ୟମନ୍ତ୍ରୀ ଶିକ୍ଷକ ପରିଧାନ ଯୋଜନା ଆରମ୍ଭ ହେବ ।

Get real time updates directly on you device, subscribe now.