ପୁରୀ: କୁରୁକୁରେ ଦେଇ ଦୋକାନ ଭିତରେ ବଳାତ୍କାର! ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ସତ୍ୟବାଦୀ ଥାନା ଅଞ୍ଚଳରେ।
ଶନିବାର ମଧ୍ୟାହ୍ନରେ ୫ମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ କୁରୁକୁରେ ଦେଇ ଦୋକାନ ଭିତରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ପୀଡ଼ିତା ଜଣଙ୍କ ଗାଁର ଏକ ଦୋକାନକୁ କିଛି ଜିନିଷ ଆଣିବାକୁ ଯାଇଥିବା ସମୟରେ ୫୩ ବର୍ଷୀୟ ଦୋକାନୀ ତାଙ୍କୁ ଦୁଇ ପ୍ୟାକେଟ କୁରୁକୁରେ ଦେଇ ଦୋକାନ ଭିତରକୁ ଡାକି ନେଇଥିଲେ ଏବଂ ତା ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ।
ତା’ପରେ ପୀଡ଼ିତା ଜଣଙ୍କ ଘରକୁ ଫେରି ଏହି ଘଟଣା ସମ୍ପର୍କରେ ତାଙ୍କ ମାଆଙ୍କୁ ଜଣାଇଥିଲେ। ମାଆ ତୁରନ୍ତ ସତ୍ୟବାଦୀ ଥାନାରେ ଅଭିଯୋଗ ଦାୟର କରିଥିଲେ।
ଅଭିଯୋଗ ପାଇବା ମାତ୍ରେ ସତ୍ୟବାଦୀ ପୋଲିସ ଗ୍ରାମରେ ପହଞ୍ଚି ଅଭିଯୁକ୍ତ ଦୋକାନୀଙ୍କୁ ଗିରଫ କରିଛି। ପୋଲିସ ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଥିବା ଜଣାପଡ଼ିଛି।
ସତ୍ୟବାଦୀ ଥାନାର ଆଇଆଇସି ବିଜୟ କେତନ ବେହେରା କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ପୋସ୍କୋ ଅଦାଲତରେ ହାଜର କରାଯିବ। ଘଟଣାର ତଦନ୍ତ ଜାରି ରହିଛି ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।