fbpx

କରୋନା କାଳରେ ଜନସେବାରେ ବ୍ରତୀ ୨ ବଲିଉଡ୍ ଅଭିନେତ୍ରୀ

ମୁମ୍ବାଇ: କରୋନା ମହାମାରୀ କାଳରେ ଲୋକଙ୍କ ସହାୟତା ପାଇଁ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ବେସରକାରୀ ସଂସ୍ଥା ଆଗେଇ ଆସୁଛନ୍ତି । ବ୍ୟକ୍ତିଗତ ଭାବେ ଅନେକେ ମଧ୍ୟ ସହଯୋଗର ହାତ ବଢ଼ାଉଛନ୍ତି । ଏଭଳି ସନ୍ଧିକ୍ଷଣରେ ଦେଶର ବହୁ ନାମୀ କଳାକାର ମଧ୍ୟ ଜନସେବା ପ୍ରତି ଆଗ୍ରହ ଦେଖାଇଛନ୍ତି । କରୋନାର ପ୍ରଥମ ତରଙ୍ଗଠାରୁ ଅଦ୍ୟାବଧି ବଲିଉଡ୍ ଅଭିନେତା ସୋନୁ ସୁଦ୍ ଲୋକଙ୍କୁ ସହାୟତା ଯୋଗାଇ ଆସୁଛନ୍ତି।

ଅନୁଷ୍କାଙ୍କ ଅଭିନବ ଅୟମାରମ୍ଭ: ଗର୍ଭବତୀଙ୍କୁ ସହାୟତା ପାଇଁ ଅଣ୍ଟାଭିଡ଼ିଲେ

ଅଭିନେତ୍ରୀ ଅନୁଷ୍କା ଶର୍ମା ସାମିଲ୍ ହୋଇଛନ୍ତି ସାମାଜିକ ସେବା କାର୍ଯ୍ୟରେ । ନିକଟରେ ସ୍ୱାମୀ ତଥା କ୍ରିକେଟର୍ ବିରାଟ କୋହଲିଙ୍କ ସହ ସେ କୋଭିଡ୍ ରିଲିଫ୍ ପାଣ୍ଠି ସଂଗ୍ରହ କରିଥିବାବେଳେ ସମ୍ପ୍ରତି ଗର୍ଭବତୀଙ୍କୁ ୨୪ ଘଣ୍ଟିଆ କିଭଳି ସହାୟତା ମିଳିପାରିବ ସେ ନେଇ ଅନୁଷ୍କା ହେଲ୍ପ ଲାଇନ୍ ନମ୍ବର ଘୋଷଣା କରିଛନ୍ତି ।

Anushka Sharma_Pregenant #OdishaBhaskar
(File Photo)

 

ସୋସିଆଲ୍ ସାଇଟ୍ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅନୁଷ୍କା ଉଲ୍ଲେଖ କରିଛନ୍ତି ଯେ ରାଷ୍ଟ୍ରୀୟ ମହିଳା ଆୟୋଗ (ଏନସିଡବ୍ଲୁ) ‘ହାପି ଟୁ ହେଲ୍ପ’ ପଦକ୍ଷେପ ଅନ୍ତର୍ଗତ ଗର୍ଭବତୀ ତଥା ନିକଟରେ ମା’ହେବାକୁ ଥିବା ମହିଳାଙ୍କୁ ଚିକିତ୍ସା ସହାୟତା ଦେବା ପାଇଁ ହେଲ୍ପଲାଇନ ନମ୍ବର ସେୟାର କରିଛନ୍ତି। ହେଲ୍ପଲାଇନର ହ୍ୱାଟସ୍ ଅପ୍ ନମ୍ବର ହେଲା ୯୩୫୪୯୫୪୨୨୪ ଏବଂ ଇମେଲ୍ ଆଇଡି [email protected] ଜରିଆରେ କେହି ସାହାଯ୍ୟ ପାଇଁ ଜଣାଇପାରିବେ । ଏଥିପାଇଁ ଦ୍ଭମଙ୍ଗର ଏକ ଟିମ୍ ସମ୍ପୂର୍ଣ୍ଣ ସଜାଗ ରହିବ । ସୂଚନା ଥାଉ କି ବିରାଟ ମଧ୍ୟ କୋଭିଡ୍ ରିଲିଫ୍ ପାଇଁ ୧୧ କୋଟି ଟଙ୍କା ଫଣ୍ଡ ସଂଗ୍ରହ କରିସାରିଛନ୍ତି ।

ପ୍ରିୟଙ୍କା ଦେଶ ପ୍ରୀତି: ସଂଗ୍ରହ କଲେ ୨୨ କୋଟିର ପାଣ୍ଠି

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସମ୍ପ୍ରତି ବିଦେଶରେ ଅଛନ୍ତି । କିନ୍ତୁ ନିଜ ଦେଶ ପାଇଁ କିଛି ସେବା ଯୋଗାଇବାକୁ ସେ ଉଦ୍ୟମ କରିଆସୁଛନ୍ତି । ଗିଭ୍ ଇଣ୍ଡିଆ ମାଧ୍ୟମରେ ଭାରତର କରୋନା ସଂକ୍ରମିତଙ୍କଙ୍କୁ ପ୍ରିୟଙ୍କା ସାହାଯ୍ୟ କରୁଛନ୍ତି । ଅନୁଷ୍କାଙ୍କ ଭଳି ପ୍ରିୟଙ୍କା ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଜଣାଇଛନ୍ତି ଯେ ସମସ୍ତଙ୍କ ସହଯୋଗରେ ସେ ୫୦୦ ଅକ୍ସିଜେନ୍ କନସେନଟ୍ରେଟର ଏବଂ ୪୨୨ ଅକ୍ସିଜେନ୍ ସିଲିଣ୍ଡର କିଣିଛନ୍ତି। ସେହିପରି ୧୦ ଟି ଟିକାକରଣ କେନ୍ଦ୍ରରେ ଲୋକଙ୍କୁ ନିଯୁକ୍ତ କରାଯାଇଛି। ଆସନ୍ତା ଦୁଇ ମାସ ମଧ୍ୟରେ ଭାରତର ୬୦୦୦ ରୁ ଅଧିକ ଲୋକଙ୍କୁ ଟିକା ଦେବାକୁ ସେ ଲକ୍ଷ୍ୟ ରଖିଛନ୍ତି । ସମସ୍ତଙ୍କ ସହଯୋଗ ଫଳରେ ସେ ୨୨ କୋଟି ଟଙ୍କାର ପାଣ୍ଠି ମଧ୍ୟ ସଂଗ୍ରହ କରିଥିବା ପ୍ରକାଶ କରିଛନ୍ତି ।

 

ଅଭିନେତ୍ରୀ ଓ ଅଭିନେତାଙ୍କ ରିଅଲ୍ ଲାଇଫ୍ରେ ଏଭଳି ଜନସେବା କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି ।

Get real time updates directly on you device, subscribe now.