fbpx

ରାଜଧାନୀରେ ଥମୁନି ଆପାର୍ଟମେଣ୍ଟ ଚୋରି; ୪ର୍ଥ ମହାଲାରୁ ଲୁଟିନେଲେ ସବୁ ସୁନାଗହଣା

ଭୁବନେଶ୍ଵର: ରାଜଧାନୀରେ ପୁଣି ସାମ୍ନାକୁ ଆସିଲା ଆପାର୍ଟମେଣ୍ଟ ଚୋରି ମାମଲା। ଶୁକ୍ରବାର ରାତିରେ ରାଜଧାନୀ ଉପକଣ୍ଠ ନନ୍ଦନକାନନ ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ବିପୁଳ ସୁନାଗହଣା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ରଘୁନାଥପୁର ନିକଟ ସ୍ପ୍ରିଙ୍ଗ୍‌ ଲିଫ୍‌ ଆପାର୍ଟମେଣ୍ଟର ୪ର୍ଥ ମହଲାରେ ଥିବା ୪୦୪ ନମ୍ବର ଫ୍ଲାଟ୍‌ରୁ ସିନ୍ଧିଚୋରମାନେ କଳାକନା ବୁଲାଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ହେଲେ ପ୍ରସନ୍ନ ଜେନା। ତାଙ୍କ ଘରୁ ପାଖାପାଖି ୫ ଲକ୍ଷ ଟଙ୍କାର ଗହଣା ଚୋରି ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳାଇଛି।

ମାତ୍ର ଆପାର୍ଟମେଣ୍ଟରେ ସିସି କ୍ୟାମେରା ନଥିବାରୁ ପୋଲିସ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଗତରାତିରେ ପ୍ରସନ୍ନଙ୍କ ପରିବାର କୌଣସି କାମରେ ବାହାରକୁ ଯାଇଥିଲେ। ତାଙ୍କ ଫ୍ଲାଟ୍‌ରୁ ଚୋରି ହୋଇଛି ବୋଲି ଆଜି ସକାଳୁ ଖବର ପାଇ ସେ ଫେରିଥିଲେ। ଫ୍ଲାଟ୍‌ର ମୁଖ୍ୟ କବାଟ ତାଲା ଭଙ୍ଗା ଯାଇଥିଲା ଏବଂ ଘର ଭିତରେ ଦୁର୍ବୃତ୍ତମାନେ ଆଲ୍‌ମିରା ଓ କପ୍‌ବୋର୍ଡ ତାଡ଼ି ପକାଇଥିଲେ। ତୁରନ୍ତ ପ୍ରସନ୍ନ ନନ୍ଦନକାନନ ଥାନକୁ ଜଣାଇଥିଲେ। ସନ୍ଧାନୀ କୁକୁର ଆପାର୍ଟମେଣ୍ଟ ପଛପଟେ ଫେରିଯାଇଥିଲେ। ପୋଲିସର ପ୍ରାଥମିକ ତଦନ୍ତରୁ ଏହି ସିନ୍ଧିଚୋରିରେ କେଳା ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ଜଣାପଡ଼ିଛି।

ଏରା‌ଗୋଲା ଗ୍ୟାଙ୍ଗ୍‌ ଭଳି କେଳା ଗ୍ୟାଙ୍ଗ୍‌ ମଧ୍ୟ ଆପାର୍ଟମେଣ୍ଟରୁ ସିନ୍ଧିଚୋରିରେ ମାଷ୍ଟର୍। ପୂର୍ବରୁ କେଳା ଗ୍ୟାଙ୍ଗ୍‌ର ଏକ ୧୧ ଜଣିଆ ଦଳକୁ ଧଉଳି ଥାନା ଅଞ୍ଚଳରୁ ଲୁଟ୍‌ ମାମଲାରେ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଓ ବିପୁଳ ଗହଣା ଜବତ କରାଯାଇଥିଲା। କିନ୍ତୁ କେଳା ଗ୍ୟାଙ୍ଗ୍‌ର ଫେରାର୍ ଥିବା ଚୋରମାନେ ଏହି ଲୁଟ୍‌ପାଟ କରିଥିବା ଅନୁମାନ କରାଯାଉଛି। ଏବେ ରାଜଧାନୀରେ ଏମିତି ୨ଟି ଗ୍ୟାଙ୍ଗ୍‌ ସକ୍ରିୟ ଥିବା ନେଇ ପୋଲିସ ଜାଣିବାକୁ ପାଇଛି।

Get real time updates directly on you device, subscribe now.