fbpx

ରାଜ୍ୟର ୭ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’: ଜିଲ୍ଲାପାଳଙ୍କୁ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି କ୍ରମରେ ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ରାଜ୍ୟ ସରକାର ନୂଆ ଯୋଜନା କରିଛନ୍ତି । ଏଣିକି ରାଜ୍ୟର କୌଣସି ଅଞ୍ଚଳର ଲୋକଙ୍କୁ କୃତ୍ରିମ ଅଙ୍ଗ ପ୍ରତିରୋପଣ ପାଇଁ ଆଉ ଭୁବନେଶ୍ୱରକୁ ଦୌଡ଼ିବାକୁ ପଡ଼ିବ ନାହିଁ । ରାଜ୍ୟର ୭ଟି ଜିଲ୍ଲା ମୟୂରଭଞ୍ଜ, ସମ୍ବଲପୁର, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରରେ ୨୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର (ଏଆରସି) ପ୍ରତିଷ୍ଠା ହେବ ।

ଏଆରସି ପାଇଁ ଉପଲବ୍ଧ ଭିତ୍ତିଭୂମି ସମ୍ପର୍କରେ ସୂଚନା ଦେବା ପାଇଁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ (ଏସଏସଇପିଡି) ବିଭାଗ ପକ୍ଷରୁ ଏହି ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି । ଦିବ୍ୟାଙ୍ଗମାନେ ନିଜ ନିଜ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଠାରୁ ମାଗଣାରେ କୃତ୍ରିମ ଅଙ୍ଗ ପାଇବେ । କାର୍ଯ୍ୟକ୍ଷମ ଥିବା ଜିଲ୍ଲା ଭିନ୍ନକ୍ଷମ ପୁନର୍ବାର କେନ୍ଦ୍ର (ଡିଡିଆରସି) ପରିସରରେ ଏହି ଏଆରସି ସ୍ଥାପନ କରାଯିବ । ଏଆରସି ପ୍ରତିଷ୍ଠା ପାଇଁ ଗତବର୍ଷ ଅକ୍ଟୋବର ମାସରେ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା ।

ପ୍ରସ୍ତାବିତ ଏଆରସିରେ କୃତ୍ରିମ ଅଙ୍ଗ ଯୋଗାଣ ନିମନ୍ତେ ଇତିମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର କୃତ୍ରିମ ଅଙ୍ଗ ଯୋଗାଣ ଆରମ୍ଭ ହେବ । ଏହି କେନ୍ଦ୍ରରେ ଦିବ୍ୟାଙ୍ଗ ନାଗରିକଙ୍କୁ ପ୍ରୋସ୍ଥେସିସ ଓ ଅର୍ଥୋସିସ ବର୍ଗରେ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯିବ । ଅଚଳ ଅଙ୍ଗକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଏଆରସିରେ ରୋବୋଟିକ୍ ଥେରାପି ୟୁନିଟ୍ ରହିବ । କୃତ୍ରିମ ଅଙ୍ଗ ପ୍ରତିରୋପଣ ପାଇଁ ଜିଲ୍ଲାରେ କାର୍ଯ୍ୟକ୍ଷମ ଥିବା ଡିଡିଆରସିରେ ୨/୩ଟି ହଲ ଓ ୪-୫ଟି କୋଠରୀ ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ରାଜ୍ୟରେ ଏବେ କେବଳ ଭୁବନେଶ୍ୱର, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଏଆରସି କାର୍ଯ୍ୟକ୍ଷମ ଅଛି । ତେବେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଫଳରେ ଦୂରଦୂରାନ୍ତର ଲୋକଙ୍କ ପାଇଁ ଅଙ୍ଗ ପାଇବା ଏଣିକି ସହଜସାଧ୍ୟ ହୋଇ ପାରିବ । ସୂଚନାଯୋଗ୍ୟ ଯେ, ରାଜ୍ୟର ପ୍ରତି ଜିଲ୍ଲାରେ ଏଆରସି ସ୍ଥାପନ ପାଇଁ ରାଜ୍ୟ ସରକାର ଗତବର୍ଷ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୯ଟି ଜିଲ୍ଲାରେ ଖୋଲିବାକୁ ବ୍ୟବସ୍ଥା ହୋଇଥିଲା ।

Get real time updates directly on you device, subscribe now.