ନକାରାତ୍ମକ ଚିନ୍ତାଧାରା ସାଜୁଛି କି କ୍ୟାରିୟରରେ ବାଧକ, ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ଜୀବନରେ ସଫଳତା ପାଇବା ପାଇଁ ଅନୁଶାସନ ସହ କଠିନ ପରିଶ୍ରମ ଓ ଧୈର୍ଯ୍ୟ ଆବଶ୍ୟକ । କିନ୍ତୁ ବେଳେ ବେଳେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ପୂର୍ବରୁ ଆମେ ଘାବରାଇ ଯାଇଥାଉ । ମନରେ ଅନେକ ସଙ୍କୋଚ ଆସିଥାଏ । ଫଳରେ କାମ ସଠିକ ଭାବରେ ହୋଇନଥାଏ ଏବଂ ତାହା ବିଗିଡ଼ିଯାଏ । ଏହା ଆମ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏହା ପଛର ମୁଖ୍ୟ କାରଣ ହେଉଛି ଆତ୍ମବିଶ୍ୱାସର ଅଭାବ । ଏହା ଆମ ବ୍ୟକ୍ତିତ୍ୱ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

ଜୀବନରେ ପ୍ରଗତି ଓ ସଫଳତାର ମାର୍ଗରେ ଯିବା ପାଇଁ ଆତ୍ମବିଶ୍ୱାସ ଜରୁରୀ ଅଟେ । ଏହା ମନରେ ସକାରାତ୍ମକ ଭାବନା ଉତ୍ପନ୍ନ କରିଥାଏ । ତେବେ ନିମ୍ନଲିଖିତ କିଛି ଉପାୟ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

୧. ଅଧିକ ଚିନ୍ତା କରିବା: ଅଧିକ ଚିନ୍ତା କରିବା ଦ୍ୱାରା ମସ୍ତିଷ୍କ ଉପରେ ଚାପ ପଡ଼ିଥାଏ । ଫଳରେ ବ୍ୟକ୍ତି ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ଅଯଥା ଚିନ୍ତା ନ କରି କେବଳ ନିଜ ବ୍ୟକ୍ତିଗତ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । ଯୋଗ, ବ୍ୟାୟାମ ଇତ୍ୟାଦି କରିବା ସହ ସକାରାତ୍ମକ ଚିନ୍ତାଧାରା ବ୍ୟକ୍ତିଙ୍କ ସହ ସମୟ ବିତାନ୍ତୁ ।

୨. ଛୋଟ ଛୋଟ ପ୍ରୟାସ: ଜୀବନରେ କିଛି ପାଇବାକୁ ହେଲେ ପ୍ରଥମେ ଛୋଟ ଛୋଟ ପ୍ରୟାସ ଠାରୁ ଆରମ୍ଭ କରନ୍ତୁ । ଏକା ସଙ୍ଗେ ବଡ଼ କାମ କଲେ ବୋଝ ବଢ଼ିଥାଏ କାମ ମଧ୍ୟ ଠିକ୍ ସମୟରେ ପୂରା ହେବାରେ ସମସ୍ୟା ଦେଖାଦେଇଥାଏ । ନିଜକୁ ଅନୁଶାସିତ କରିବାରେ ସମୟ ଲାଗିଥାଏ ସତ କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏହା ସଫଳତାରେ ଶୀର୍ଷରେ ପହଞ୍ଚାଇଥାଏ ।

୩. ଅନ୍ୟ ସହ ତୁଳନା: କେବେ ବି ନିଜକୁ ଅନ୍ୟ ସହ ତୁଳନା କରନ୍ତୁ ନାହିଁ । ଏହା ଦ୍ୱାରା ମନରେ ଅନେକ ନକାରାତ୍ମକ ଚିନ୍ତାଧାରା ଆସିଥାଏ । ପ୍ରତ୍ୟେକ ବ୍ୟକ୍ତି ଭିନ୍ନ । ସେମାନଙ୍କ କ୍ଷମତା ଓ ଚିନ୍ତାଧାରା ମଧ୍ୟ ଭିନ୍ନ । ଅନ୍ୟ ସହ ନିଜକୁ ତୁଳନା କଲେ ଆତ୍ମବିଶ୍ୱାସରେ ହ୍ରାସ ଦେଖାଦେଇଥାଏ ।

୪. ନିଜ ଉପରେ ବିଶ୍ୱାସ: କଥାରେ ଅଛି ବିଶ୍ୱାସେ ମିଳଇ ହରି । ନିଜ ଉପରେ ବିଶ୍ୱାସ ଥିଲେ ସବୁ କାର୍ଯ୍ୟ ସହଜ ହୋଇଯାଏ । ବେଳେ ବେଳେ ଜୀବନରେ ଏପରି ପରିସ୍ଥିତି ଦେଖାଦିଏ ଯେତେବେଳେ ନିଜ ଉପରେ ବିଶ୍ୱାସ ଉଠିଯାଏ । ଏଥିରେ ଧୈର୍ଯ୍ୟହରା ନହୋଇ ଭୁଲକୁ ସୁଧାରିବା ଦିଗରେ ଫୋକସ୍ କରିବା ଉଚିତ ।

୫. ଧୈର୍ଯ୍ୟ: କଥାରେ ଅଛି ରାତାରାତି କାହାକୁ ସଫଳତା ମିଳିନଥାଏ । ଏହା ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ବ୍ୟକ୍ତିକୁ ଧୌର୍ଯ୍ୟର ସହ କାମ କରିବାକୁ ପଡ଼ିଥାଏ । ତେଣୁ ବ୍ୟକ୍ତିକୁ ନିରନ୍ତର ପ୍ରୟାସ କରିବା ଉଚିତ ।