ଆପଣ ହୋମ୍‌ସିକନେସର ଶିକାର ହୋଇଛନ୍ତି କି ? ଏହି ସ୍ଥିତିରୁ ନିଜକୁ ଦୂରେଇ ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ଅଧିକାଂଶ ସମୟରେ ଉତ୍ସବ ପାଇଁ ଛୁଟି ପରେ ବ୍ୟକ୍ତି ଜଣଙ୍କ ଅଫିସ କାମରେ ଯୋଗ ଦେଲେ କିମ୍ବା ପିଲାମାନେ ସ୍କୁଲ, କଲେଜକୁ ପାଠପଢ଼ିବାକୁ ଗଲେ ଚାପଗ୍ରସ୍ତ ଅନୁଭବ କରିଥାନ୍ତି । ବେଳେ ବେଳେ କିଛି ବ୍ୟକ୍ତି ଅସୁସ୍ଥତା ଅନୁଭବ କରିଥାନ୍ତି ଏହାକୁ ହୋମସିକନେସ୍ କୁହାଯାଏ । ଏଭଳି ସ୍ଥିତିରେ ନିଜକୁ ନିମ୍ନଲିଖିତ କାର୍ଯ୍ୟରେ ବ୍ୟସ୍ତ ରଖିଲେ ହୋମସିକନେସ୍ ଦୂରେଇଯିବାରେ ସହାୟକ ହୋଇଥାଏ ।

୧. ଘରକୁ ଫେରିବା ପରେ ନିଜକୁ ଏକାକୀ ଅନୁଭବ କରୁଥିଲେ ନିଜ ପସନ୍ଦର ହବି ଯେପରି ନୃତ୍ୟ, ଗୀତ ଗାଇବା, ପେଣ୍ଟିଙ୍ଗ୍‌, ଫଟୋଗ୍ରାଫି, ରୋଷେଇ କରିବା ଇତ୍ୟାଦିରେ ନିଜକୁ ବ୍ୟସ୍ତ ରଖିପାରିବେ । ଏହା ଦ୍ୱାରା ମନ ପ୍ରଫୁଲ୍ଲିତ ରହିବା ସହ ଆପଣ ଚିନ୍ତମୁକ୍ତ ରହିଥାନ୍ତି । ଏହା ବ୍ୟତୀତ ନିଜକୁ କିଛି adventurous activitiesରେ ନିୟୋଜିତ କରିପାରିବେ ।

୨. କର୍ମକ୍ଷେତ୍ର, ହଷ୍ଟେଲ କିମ୍ବା ଆପଣ ରହୁଥିବା ରୁମରେ ପରିବାରର ଫଟୋ ସାଥିରେ ରଖନ୍ତୁ । ବାରମ୍ବାର ପରିବାରର ଫଟୋ ଦେଖିଲେ ତାଙ୍କୁ ପୁଣି ଥରେ ଭେଟିବା ନେଇ ଉତ୍ସାହିତ ଅନୁଭବ କରିବେ ।

୩. ଆପଣ ଯଦି ପରିବାର ଠାରୁ ଦୂରରେ ହଷ୍ଟେଲରେ ପାଠ ପଢ଼ିବା କିମ୍ବା ଚାକିରି ପାଇଁ ଆସିଛନ୍ତି ତେବେ ପ୍ରଥମେ ପ୍ରଥମେ ନୂଆ ମାହୋଲରେ ଆଡଜଷ୍ଟ ହେବାକୁ ସମୟ ଲାଗିଥାଏ । ଏହି ସମସ୍ୟାରୁ ଦୂରେଇ ରହିବା ପାଇଁ ସ୍ଥାନୀୟ ଅଞ୍ଚଳ ଏକ୍ସପ୍ଲୋର କରିପାରିବେ, ସେଠିକାର ନୂଆ ନୂଆ ବ୍ୟଞ୍ଜନର ମଜା ନେଇପାରିବେ ।

୪. ମସ୍ତିଷ୍କକୁ ଶାନ୍ତ ରଖିବା ପାଇଁ ମେଡିଟେସନ୍ କିମ୍ବା ପ୍ରାଣାୟାମ (ବ୍ରୀଦିଂ ଏକ୍ସରସାଇଜ୍‌) ଉତ୍ତମ ଅଟେ । ଫଳରେ ମନରେ ଥିବା ଏଙ୍ଗଜାଇଟି ଦୂର ହେବା ସହ ବ୍ୟକ୍ତି ଚାପମୁକ୍ତ ଓ ରିଲାକ୍ସ ଅନୁଭବ କରିଥାଏ ।

୫. ସାଧାରଣତଃ କୌଣସି ଉତ୍ସବ ସମୟରେ ଆମେ ପରିବାର କିମ୍ବା ସାଙ୍ଗସାଥିଙ୍କ ସହ ସୁଖଦ ମୁହୂର୍ତ୍ତ ବିତାଇଥାଉ । ସେମାନଙ୍କ ଠାରୁ ଦୂରେଇ ଗଲେ ସେହି ସ୍ମୃତି ବହୁତ ମନେ ପଡ଼ିଥାଏ । ଏହି ସମୟରେ ଭିଡିଓ କଲ୍ ମାଧ୍ୟମରେ ସେମାନଙ୍କ ସହ କଥାବାର୍ତ୍ତା ହେଲେ ସେମାନଙ୍କ ଉପସ୍ଥିତି ଅନୁଭବ ହୋଇଥାଏ । ସେମାନଙ୍କ ସହ କଥା ହେଲେ ମନ ହାଲୁକା ଲାଗେ ।

୬. ଏକାକୀ ଅନୁଭବ ହେଉଥିଲେ ନିଜ ପସନ୍ଦର କମେଡି ଶୋ କିମ୍ବା ଫିଲ୍ମ ଦେଖିପାରିବା । ଏହା ସହ ଗୀତ ଶୁଣିଲେ ମଧ୍ୟ ମୁଡ୍ ଭଲ ରହିଥାଏ ।

୭. କୌଣସି ନୂଆ ସ୍ଥାନକୁ ଗଲେ ସେଠାରେ ଅଜଣା ଲୋକଙ୍କ ଗହଣରେ ଅସହଜ ଅନୁଭବ କରିଥାଉ । ସେଠିକାର ବାତାବରଣ ସହ ଆଡଜଷ୍ଟ ହେବାକୁ ସମୟ ଲାଗିଥାଏ । ବେଳେ ବେଳେ ଏହି ଚିନ୍ତାରେ ବ୍ୟକ୍ତି ଡିପ୍ରେସନରେ ଚାଲିଯାଇପାରେ । ତେଣୁ ନୂତନ ସାଙ୍ଗସାଥି ତିଆରି କଲେ ସେମାନଙ୍କ ସହ ସହଜରେ ସମୟ କଟିଥାଏ । ବିଭିନ୍ନ ଲୋକଙ୍କ ସହ ମିଶିଲେ ଆମେ ନୂଆ କଥା ଶିଖିବା ସହ ଅଭିଜ୍ଞତା ହାସଲ କରିଥାଉ ।

୮. ହୋମ୍‌ସିକନେସ୍ ସ୍ଥିତିରୁ ବର୍ତ୍ତିବା ପାଇଁ ଆପଣ ଏକ୍ସପର୍ଟଙ୍କ(ପ୍ରୋଫେସନାଲ ହିଲର/ପରାମର୍ଶଦାତା) ସହଯୋଗ ଲୋଡ଼ିପାରିବେ । ସେମାନଙ୍କ ସହ ଆପଣ ଖୋଲାଖୋଲି ଭାବେ ସମସ୍ୟା ବିଷୟରେ ଆଲୋଚନା କରିପାରିବେ ।